ଦୀର୍ଘଦିନ ଧରି ଚାଲିଆସିଥିବା ମହାନଦୀ ଜଳ ବିବାଦର ସମାଧାନ ଦୀପାବଳି ସୁଦ୍ଧା ହେବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୂଆଦିଲ୍ଲୀରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ପରେ ଏନେଇ ସହମତି ହୋଇଥିବା ସେ କହିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ, ଆସନ୍ତା ୩ ମାସ ମଧ୍ୟରେ ମହାନଦୀ ଜଳ ବଣ୍ଟନ ଓ ପରିଚାଳନାକୁ ନେଇ ରହିଥିବା ବିବାଦର ଏକ ଗ୍ରହଣଯୋଗ୍ୟ ଏବଂ ସ୍ଥାୟୀ ସମାଧାନ ବାହାର କରିବା ପାଇଁ ଉଭୟ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବେ । ଏଥିପାଇଁ ଆଲୋଚନାର ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ସହ ସମନ୍ୱିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।ମହାନଦୀ ଜଳ ବିବାଦ ଆଲୋଚନାରେ ଓଡ଼ିଶାର ଅଧିକାର ଏବଂ ଚାଷୀକୁଳର ଭବିଷ୍ୟତକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ଚାଷୀମାନଙ୍କ ସ୍ୱାର୍ଥ ସୁରକ୍ଷିତ ରଖି ମହାନଦୀ ଜଳ ପରିଚାଳନା ନେଇ ନିଷ୍ପତ୍ତି ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
