ନିଟ୍ ଆନ୍ଦୋଳନ : ‘ଯାଞ୍ଚ୍ କରାଯାଉ,କାର୍ଯ୍ୟାନୁଷ୍ଠାନ ନହେଉ ବୋଲି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

CJP ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ଅଟକ ନାବାଳକଙ୍କୁ ତୁରନ୍ତ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି କୋର୍ଟ । କକରୋଚ୍ ଜନତା ପାର୍ଟି (CJP) ନେତୃତ୍ୱରେ ହୋଇଥିବା ଛାତ୍ର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି । କୋର୍ଟ ସମସ୍ତ ରାଜ୍ୟରେ ଅଟକ ରଖାଯାଇଥିବା ନାବାଳକଙ୍କୁ ତୁରନ୍ତ ମୁକ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି,ପ୍ରଥମେ ପ୍ରତିବାଦ ଶାନ୍ତିପୂର୍ଣ୍ଣ ଥିଲା, କିନ୍ତୁ ପରେହିଂସା ଆରମ୍ଭ ହୋଇଥିଲା। ଏହାର ଦୁଇଟି କାରଣ ହୋଇପାରେ, ପ୍ରଥମତଃ, ପୁଲିସ ଅତ୍ୟଧିକ କଠୋର ଥିଲା, ଏବଂ ଦ୍ୱିତୀୟତଃ, ହିଂସାକୁ ଉସୁକାଇବାକୁ ଚାହୁଁଥିବା ବ୍ୟକ୍ତିମାନେ ପ୍ରତିବାଦକାରୀଙ୍କ ମଧ୍ୟରେ ଅନୁପ୍ରବେଶ କରିଥିଲେ। ଏନେଇ ଏକ ପ୍ରୋଟୋକଲ ପ୍ରସ୍ତୁତ ହେବା ପରେ, ଦାୟିତ୍ୱ ନିର୍ଣ୍ଣୟ କରିବା ସହଜ ହେବ।ବିରୋଧ ପ୍ରଦର୍ଶନ ସମ୍ପର୍କରେ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସମେତ ଆଠଟି ରାଜ୍ୟକୁ ନୋଟିସ୍ ଜାରି କରିଛନ୍ତି। ତେବେ ଅପରାଧିକ ଇତିହାସ ଥିବା ବ୍ୟକ୍ତିଙ୍କ ପାଇଁ ଏହି ସୁରକ୍ଷା ଲାଗୁ ହେବ ନାହିଁ । ପୋଲିସ ଅତ୍ୟାଚାର ସମ୍ପର୍କିତ ଅଭିଯୋଗରେ ପ୍ରାଥମିକ ଭାବେ ସତ୍ୟତା ଥିବା ଦର୍ଶାଇ କୋର୍ଟ ଏକ ସ୍ୱାଧୀନ ଓ ନିରପେକ୍ଷ ତଦନ୍ତ ପାଇଁ ଉଚ୍ଚକ୍ଷମତାସମ୍ପନ୍ନ କମିଟି ଗଠନ କରିବା ପ୍ରସ୍ତାବ ରଖିଛନ୍ତି ।

ଏହା ପୂର୍ବରୁ କେନ୍ଦ୍ର ସରକାର, ଦିଲ୍ଲୀ ପୋଲିସ ଓ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ସେମାନଙ୍କ ପକ୍ଷ ଉପସ୍ଥାପନ କରିବାର ସୁଯୋଗ ଦିଆଯାଇଛି । ଦିଲ୍ଲୀ, ମହାରାଷ୍ଟ୍ର, ବିହାର, କେରଳ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବମାନଙ୍କୁ ନୋଟିସ ଜାରି କରାଯାଇଛି । ଆନ୍ଦୋଳନ ସମୟର ସମସ୍ତ CCTV ଫୁଟେଜ୍, ଡ୍ରୋନ୍ ଭିଡିଓ, ୱାୟାରଲେସ୍ ରେକର୍ଡ ଓ ଅନ୍ୟାନ୍ୟ ପ୍ରମାଣ ସଂରକ୍ଷଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଦର୍ଶନକାରୀଙ୍କ ବ୍ୟକ୍ତିଗତ ତଥ୍ୟ ସାର୍ବଜନୀନ କରାଯିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । ଶୁଣାଣି ବେଳେ ପେଲେଟ୍ ଗନ୍, ରବର ବୁଲେଟ୍, ବିଦ୍ୟୁତ ବାଟନ୍ ଓ କଣ୍ଟା ଲାଗିଥିବା ଲାଠି ବ୍ୟବହାର ଅଭିଯୋଗ ସହ ଛାତ୍ରଛାତ୍ରୀଙ୍କ ଆହତ ଘଟଣା ଉପରେ ମଧ୍ୟ କୋର୍ଟ ଗୁରୁତ୍ୱ ଦେଇଛନ୍ତି । ସାଧା ପୋଷାକରେ ପୋଲିସ ମୁତୟନ ନେଇ ଥିବା ଅଭିଯୋଗ ମଧ୍ୟ ରେକର୍ଡ କରାଯାଇଛି ।

ଅଧିକ ପଢନ୍ତୁ