ବାଳକାଟି ସ୍ଥିତ ଭାର୍ଗବୀ ନଦୀ ପଠାରେ ଚାଲିଥିଲା ‘ତାରିଣୀ ଗଣନାଟ୍ୟ’ର ଆଖଡ଼ା ଶାଳା। ବିନା କୌଣସି ବୈଧ ଅନୁମତିରେ ନଦୀ ପଠାରେ ତମ୍ବୁ ଟାଣି ଚାଲିଥିବା ଏହି ଆଖଡ଼ା ଶାଳାକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ସବୁଠୁ ବଡ଼ କଥା ତାରିଣୀ ଗଣନାଟ୍ୟର ମାଲିକାଣୀ ହେଉଛନ୍ତି ବହୁ ଚର୍ଚ୍ଚିତ ଏବଂ ବିବାଦୀୟ ଆଇଟମ ଗାର୍ଲ ନିଶା ମହାରଣା। ପ୍ରଶାସନର କାର୍ଯ୍ୟାନୁଷ୍ଠାନ ପରେ ନିଶା ମହାରଣାଙ୍କ ଯାତ୍ରା ପାର୍ଟିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ଭାର୍ଗବୀ ନଦୀରେ ବନ୍ୟା ଜଳ ସ୍ତର ବୃଦ୍ଧି ପାଇବା ଯୋଗୁଁ ଆଖଡ଼ା ଶାଳାର ଟେଣ୍ଟ ଭିତରକୁ ପାଣି ପଶିଯାଇଥିଲା। ଏହା ଦ୍ୱାରା ଯାତ୍ରା କଳାକାର ଓ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଗମ୍ଭୀର ବିପଦ ସୃଷ୍ଟି ହୋଇଥିଲା। ଘଟଣାର ସ୍ଥିତିକୁ ଦୃଷ୍ଟିରେ ରଖି ବାଲିଅନ୍ତା ତହସିଲଦାର, ଭୁବନେଶ୍ଵର ସବ-କଲେକ୍ଟର, ଜୋନ୍-୪ ଏସିପି ଏବଂ ବାଲିଅନ୍ତା ଥାନା ଅଧିକାରୀ ମିଳିତ ଭାବେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।ତଦନ୍ତ ବେଳେ ପ୍ରଶାସନିକ ଅନୁମତି ନନେଇ ଏହି ଆଖଡ଼ା ଶାଳା ଚାଲିଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ପ୍ରଶାସନିକ ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ତାରିଣୀ ଗଣନାଟ୍ୟର ମାଲିକାଣୀ ନିଶା ମହାରଣା ଏବଂ ସମ୍ପୃକ୍ତ ମ୍ୟାନେଜରଙ୍କୁ କଡ଼ା ତାଗିଦ କରିଛନ୍ତି। ନଦୀ ପଠା ଭଳି ସମ୍ବେଦନଶୀଳ ସ୍ଥାନରେ ବିନା ଅନୁମତିରେ ଆଖଡ଼ା ଚଳାଇଥିବାରୁ, ଯଥାଶୀଘ୍ର ସେହି ସ୍ଥାନ ଖାଲି କରି ଚାଲିଯିବାକୁ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।
