ନୟାଗଡ଼ କଲେଜ ୨୦୧୮ରୁ ପାଇନି ସ୍ୱୟଂଶାସିତ ମାନ୍ୟତା

ଏନେଇ ଜିଲ୍ଲା କଂଗ୍ରେସର ପ୍ରେସମିଟ

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ନୟାଗଡ଼ ମହାବିଦ୍ୟାଳୟରୁ ୨୦୧୮ ଜାନୁଆରୀ ମାସରୁ ସ୍ୱୟଂଶାସିତ ମାନ୍ୟତା ସମ୍ପ୍ରସାରଣ ହୋଇପାରି ନାହିଁ, ଆଶ୍ଚର୍ଯ୍ୟ ହେଲେ ବି ଏହା ସତ୍ୟ କିନ୍ତୁ ମହାବିଦ୍ୟାଳୟ କର୍ତୃପକ୍ଷ ଲକ୍ଷାଧିକ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକମାନଙ୍କୁ ଏହି ଗୁରୁତର ତଥ୍ୟ ଲୁଚାଇ ରଖିବା ସର୍ବୋପରି ନୟାଗଡ ଜିଲ୍ଲାବାସୀ ଯାହାର ଦ୍ବିଗୁଣିତ ଖଜଣା ଟଙ୍କାରେ ଏହି ଶିକ୍ଷାର ମନ୍ଦିର ପ୍ରତିଷ୍ଠିତ, ସେମାନଙ୍କ ପ୍ରତି ବିଶ୍ୱାସଘାତ କରିଛନ୍ତି ବୋଲି ପୁରାତନ ଛାତ୍ର ତଥା ଜିଲ୍ଲା ଓକିଲ ସଂଘ ର ପୂର୍ବତନ ସଭାପତି ବରିଷ୍ଠ ଆଇନଜୀବି ରଣଜିତ ଦାଶ ନୟାଗଡ ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି।

କଲେଜ କାନ୍ଥବାଡ଼ରେ ମିଛରେ ସ୍ୱୟଂଶାସିତ ଲେଖି ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଭୁଆଁ ବୁଲାଉଛନ୍ତି କଲେଜ ଅଧ୍ୟକ୍ଷ ବୋଲି ଆଇନଜୀବି ଶ୍ରୀ ଦାଶ ଅଭିଯୋଗ କରିଛନ୍ତି ।

ସୂଚନା ଆଇନ ଦ୍ୱାରା ଉପଲବ୍ଧ ତଥ୍ୟ ଅନୁସାରେ ଗତ ତା ୦୮.୦୧.୨୦୧୮ ରିଖରୁ ବିଶ୍ୱବିଦ୍ୟାଳୟ ଗ୍ରାଣ୍ଟ କମିଶନ ୟୁଜିସିର କୋଲକତା ସ୍ଥିତ ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟ ଉପ ସଚିବ ଲଳିଥା ଗଣେଶନ ଉତ୍କଳ ବିଶ୍ୱବିଦ୍ୟାଳୟ ରେଜିଷ୍ଟାରଙ୍କୁ ଲେଖିଥିବା ପତ୍ରସଂଖ୍ୟା F.22-1/2012(AC) ନୟାଗଡ ମହାବିଦ୍ୟାଳୟର ସ୍ୱୟଂଶାସିତ ଅଟୋନମସ ମାନ୍ୟତା ୨୦୧୨-୨୦୧୩ ଶିକ୍ଷା ବର୍ଷରୁ ୨୦୧୭-୨୦୧୮ ମସିହା ୬ବର୍ଷ ଯାଏଁ ବଳବତ୍ତର ଥିଲା।

ଏହାର ଅବଧି ସମ୍ପ୍ରସାରଣ ପାଇଁ ୟୁଜିସି ଷ୍ଟାଣ୍ଡିଙ୍ଗ କମିଟିର ଏଯାବତ ମଞ୍ଜୁରୀ ପ୍ରାପ୍ତ ହୋଇ ପାରିନାହିଁ, ତେଣୁ ଏଥିରୁ ସ୍ପଷ୍ଟ ପ୍ରତୀୟମାନ ଯେ, ୨୦୧୮ ମସିହାରୁ ନୟାଗଡ ମହାବିଦ୍ୟାଳୟର ସ୍ୱୟଂଶାସିତ ମାନ୍ୟତା ସମ୍ପ୍ରସାରଣ ହୋଇନାହିଁ, ୟୁଜିସିରୁ ଏହି ପତ୍ର କଲେଜ କର୍ତୃପକ୍ଷ ପାଇସାରିବା ପରେ କାହା ଚାପରେ କଲେଜ ଅଧ୍ୟକ୍ଷ ଛାତ୍ରଛାତ୍ରୀ, ଅଭିଭାବକ ମାନଙ୍କୁ ଏ ସମ୍ପର୍କରେ ଅନ୍ଧାରେ ରଖି ସେମାନଙ୍କ ଭବିଷ୍ୟତ ସହ ଖେଳିଛନ୍ତି ।

ସ୍ଥାନୀୟ ବିଧାୟକ ଏହି ବିଷୟରେ ଅବଗତ ଥାଇ ସୁଦ୍ଧା କେଉଁ ଉଦ୍ଦେଶ୍ୟରେ ଚୁପ ରହିଥିଲେ ଏବଂ ସେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ପଦରେ ୨୮ମାସ ଥିବା ସତ୍ୱେ ମଧ୍ୟ ନୟାଗଡ ମହାବିଦ୍ୟାଳୟର ଅଟୋନୋମି ସ୍ଟାଟସକୁ ସମ୍ପ୍ରସାରଣ କରାଇବାରେ ବିଫଳ ହେବା ପ୍ରମାଣ କରୁଛି ନୟାଗଡ କଲେଜ ପ୍ରତି ବିଧାୟକଙ୍କ ଆନ୍ତରିକତା କେତେ ଏବଂ ତାଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବି ଶ୍ରୀ ଦାଶ ।

୨୦୧୮ ବେଳକୁ ବିଧାୟକ ଶ୍ରୀ ସାହୁ କଲେଜ ପରିଚାଳନା କମିଟିର ସଭାପତି ଥିବା ସମୟରୁ ଏତେ ବଡ଼ ଅଘଟଣକୁ ସେ ନୟାଗଡ ବାସୀଙ୍କୁ କାହିଁକି ଲୁଚାଇ ରଖିଥିଲେ ?

ଏଠାରେ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ହେଉଛି ୟୁଜିସି ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟ ରେଜିଷ୍ଟାରଙ୍କୁ ଲେଖାଯାଇ ଥିବା ପତ୍ରରେ ଉଲ୍ଲେଖ ଅଚ୍ଛି ୟୁଜିସି ଏକ୍ସପର୍ଟ କମିଟି ସୁପାରିଶ ଆଧାରରେ ଅଟୋନୋମସ ମାନ୍ୟତା ସମ୍ପ୍ରସାରଣ କରାଯିବା ନିୟମ ରହିଛି ତେବେ ଏଠାରେ ପ୍ରଶ୍ନ ହେଉଛି ନୟାଗଡ ମହାବିଦ୍ୟାଳୟର ଅଟୋନୋମସ ମାନ୍ୟତା ଅବଧି ସମ୍ପ୍ରସାରଣ ପାଇଁ ଏକ୍ସପର୍ଟ କମିଟି ଏଯାବତ କେଉଁ କାରଣ ପାଇଁ ସୁପାରିଶ କରିନାହଁନ୍ତି ସେ ସମ୍ପର୍କରେ କଲେଜର ଅଧ୍ୟକ୍ଷ ନୟାଗଡ ବାସୀଙ୍କୁ ସ୍ପଷ୍ଟ କରନ୍ତୁ ବୋଲି ବରିଷ୍ଠ ଆଇନଜୀବି ରଣଜିତ ଦାଶ ଦାବୀ କରିଛନ୍ତି।

ନୟାଗଡ ମହାବିଦ୍ୟାଳୟର ପ୍ରଶାସନିକ ଅପାରଗତା କିମ୍ବା ବାର୍ଷିକ କୋଟିକୋଟି ୟୁଜିସି ଅନୁଦାନ ଅର୍ଥରାଶିର ଦୁରୁପଯୋଗ କରାଯାଇଥିବା କାରଣରୁ ନୟାଗଡ ମହାବିଦ୍ୟାଳୟର ଅଟୋନୋମସ ମାନ୍ୟତା ସମ୍ପ୍ରସାରଣ ପାଇଁ ଏକ୍ସପର୍ଟ କମିଟି ସୁପାରିଶ କରୁନାହାଁନ୍ତି ବୋଲି ଶ୍ରୀ ଦାଶ ଅଭିଯୋଗ କରିଛନ୍ତି।

ଯଦି କଲେଜ କର୍ତୃପକ୍ଷ ଏହାର ସନ୍ତୋଷ ଜନକ ଉତ୍ତର ସାର୍ବଜନୀନ କରିବେ ନାହିଁ ତେବେ ୟୁଜିସିକୁ ପକ୍ଷଭୁକ୍ତ କରି ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ନୟାଗଡ ସ୍ୱାର୍ଥ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ଶ୍ରୀ ଦାଶ କହିଛନ୍ତି ।

ଅଧିକ ପଢନ୍ତୁ