
ନୟାଗଡ଼ (ଓଡ଼ିଶା ଦର୍ପଣ):
ସ୍ଥାନୀୟ ପି.ଏମ୍.ଶ୍ରୀ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଆଜି ଆନନ୍ଦୋଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ନୟାଗଡ଼ର ପରାମର୍ଶ କ୍ରମେ ଏବଂ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶରତ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୮ଟି ବ୍ଲକ୍ରୁ ୮ଟି ପ୍ରତିଯୋଗୀ ଦଳ ଅଂଶଗ୍ରହଣ କରିଥିଲେ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଏ. ରହମାନ ସୁଚାରୁ ରୂପେ ସଂଯୋଜନା କରିଥିଲେ। ଏଥିରେ ବିଚାରପତି ଭାବେ ପ୍ରଧାନୀ ବୃନ୍ଦାବନ ମହାପାତ୍ର ଏବଂ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଯୋଗଦେଇ ପ୍ରତିଯୋଗୀମାନଙ୍କର କୃତିତ୍ୱ ଆକଳନ କରିଥିଲେ।
ପ୍ରତିଯୋଗିତାରେ ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଠିପଡ଼ାର ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଆଦର୍ଶ ବିଦ୍ୟାଳୟ, ଖଣ୍ଡପଡ଼ା ଦ୍ୱିତୀୟ ଏବଂ ବି.ଡି. ବିଦ୍ୟାପୀଠ, ଭାପୁରର ଛାତ୍ରଛାତ୍ରୀମାନେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଆସନ୍ତା ୨୮ ତାରିଖରେ ବୌଦ୍ଧ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଜୋନ୍ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଲାଠିପଡ଼ା ଦଳ ନୟାଗଡ଼ ଜିଲ୍ଲା ପକ୍ଷରୁ ପ୍ରତିନିଧିତ୍ୱ କରିବେ।
