
ନୟାଗଡ଼,(ଓଡ଼ିଶା ଦର୍ପଣ):ବିଦ୍ୟାଳୟ ସ୍ତରରୁ ପିଲାମାନଙ୍କ ଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ‘ଶିଶୁ ପ୍ରତିଭା ଉତ୍ସବ-ସୁରଭି’ କାର୍ଯ୍ୟକ୍ରମ ସୋମବାର ଦିନ ନୟାଗଡ଼ ବ୍ଳକ ଅନ୍ତର୍ଗତ ସିନ୍ଦୁରିଆ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଆନନ୍ଦୋଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
ବ୍ଲକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ। ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ବ୍ଲକ ଶିକ୍ଷାଧିକାରିଣୀ ମୁନରାଣୀ ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୟ ମଲ୍ଲିକ,ଅମିତା ମିଶ୍ର,ପଞ୍ଚସଖା ଶିକ୍ଷାସେତୁ ସଭାପତି ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଝୁମୁରୀ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।

ଏହି ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ଯେ, ପିଲାମାନେ କେବଳ ପାଠପଢ଼ା ନୁହେଁ, ବରଂ ସବୁ କ୍ଷେତ୍ରରେ ଦକ୍ଷତା ହାସଲ କରିବା ଦରକାର। ପିତାମାତାମାନେ ପିଲାଙ୍କୁ ଅଯଥା ଆକଟ ନକରି ସେମାନଙ୍କୁ ସବୁ ବିଷୟରେ ଜାଣିବାର ସୁଯୋଗ ସୃଷ୍ଟି କରିବା ଆବଶ୍ୟକ। ସେହିପରି ବିଦ୍ୟାଳୟ ସ୍ତରରୁ ନିୟମିତ ଖବରକାଗଜ ପଢ଼ିବା ଦ୍ୱାରା ପିଲାମାନେ ଦେଶବିଦେଶର ହାଲଚାଲ ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ଅତିଥିମାନେ ପରାମର୍ଶ ଦେଇଥିଲେ।
ନୟାଗଡ଼ ବ୍ଲକର ୧୫ଟି କ୍ଲଷ୍ଟରରୁ ଜୁନିୟର ଓ ସିନିୟର ଉଭୟ ବିଭାଗର ମୋଟ ୩୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ସାଧାରଣ ଜ୍ଞାନ, କୁଇଜ୍, ବକ୍ତୃତା, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ପ୍ରବନ୍ଧ, ଦେଶାତ୍ମବୋଧକ ସଙ୍ଗୀତ, ସୁନ୍ଦର ହସ୍ତାକ୍ଷର ତଥା ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନୃତ୍ୟ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ନିଜର ବହୁମୁଖୀ ପ୍ରତିଭାର ପରିଚୟ ପ୍ରଦାନ କରିଥିଲେ।
ପରିଶେଷରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୟ ମଲ୍ଲିକ ଏବଂ ଅମିତା ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଯୋଗଦାନ କରି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶେଖ୍ ଅବଦୁଲ ଖାଲିକ୍ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଅଶୋକ ମଲ୍ଲ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବ୍ଲକସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀମାନେ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁଥିବା ଜିଲ୍ଲାସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
