ରାଜ୍ୟରେ ୨୦୨୭ ମସିହାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ (PRI) ଏବଂ ପୌର ନିର୍ବାଚନ (ULB) ପାଇଁ ପ୍ରାକ-ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଜୁଲାଇ ୨୧ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ କନଫରେନ୍ସ ଅନୁଷ୍ଠିତ ହେବ । ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।୨୦୨୭ ଆଗାମୀ ସାଧାରଣ ନିର୍ବାଚନ ପାଇଁ ବୁଥ୍ ଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ପ୍ରସ୍ତାବିତ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନର ଆଲୋଚନା କରିବେ । ଗତ ୨୦୨୨ ମସିହାରେ ହୋଇଥିବା ପୌର ନିର୍ବାଚନ ସମ୍ପର୍କିତ ବାକି ରହିଥିବା ଡିସି ବିଲ୍ ଏବଂ ଉପଯୋଗିତା ପ୍ରମାଣପତ୍ର ଦାଖଲ ପ୍ରକ୍ରିୟାର ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯିବ ।ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ୟୁଏଲବି ନିର୍ବାଚନର ନୋଡାଲ ଅଧିକାରୀ), ସମସ୍ତ ଇଆରଓ, ଏଇଆରଓ ଏବଂ ସମ୍ପୃକ୍ତ ରାଜସ୍ୱ ଅଧିକାରୀମାନେ ମଧ୍ୟ ଜିଲ୍ଲା ଓଏସୱାନ୍ କେନ୍ଦ୍ରରୁ ଭିଡିଓ କନଫରେନ୍ସରେ ଯୋଗଦେବେ। ଏହି ବୈଠକକୁ ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶାସନିକ ପ୍ରସ୍ତୁତିର ପ୍ରଥମ ପ୍ରମୁଖ ପଦକ୍ଷେପ ଭାବେ ଦେଖାଯାଉଛି।
