ଓଡ଼ିଶା ଭିଜିଲାନ୍ସ ବିଭାଗ ରାଉରକେଲାର ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ଗାଡ଼ିରେ ୫ ଲକ୍ଷ ଟଙ୍କାର ଲାଞ୍ଚ ଟଙ୍କା ନିଆଯାଉଥିବା ଅଭିଯୋଗରେ ଅଟକ ରଖାଯାଇଛି। ଉଦିତନଗରସ୍ଥିତ ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ସ୍କର୍ପିଓକୁ ଅଟକାଇ ଯାଞ୍ଚ କରାଯାଇଥିଲା । ଗାଡ଼ିରେ ଥିବା ଜଣେ ସ୍ଥାନୀୟ ମଦ ଦୋକାନର ସେଲ୍ସମ୍ୟାନ୍ ଙ୍କଠାରୁ ୫ ଲକ୍ଷ ଟଙ୍କା ନଗଦ ମିଳିଥିଲା । ଏହି ଟଙ୍କା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ ତାଙ୍କ ଘରେ ପହଞ୍ଚାଇବା ପାଇଁ ଦେଇଥିବା ସେଲ୍ସମ୍ୟାନ୍ ଭିଜିଲାନ୍ସକୁ କହିଥିବା ସୂଚନା ମିଳିଛି ।ଏନେଇ ଧନେଶ୍ୱର ବରାଡ଼ଙ୍କୁ ପଚରାଉଚରା କରାଯାଇଥିବାବେଳେ ଉଦ୍ଧାର ଟଙ୍କା ସମ୍ପର୍କରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଏହାପରେ ୫ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି।
