BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ସି ଜିନପିଙ୍ଗ । ଚୀନ୍ ରାଷ୍ଟ୍ରପତିଙ୍କ ସହ ଆସିଛନ୍ତି ଦେଶର ଶୀର୍ଷ କୂଟନୀତିଜ୍ଞ ଓ ବରିଷ୍ଠ ନେତା । ଦିଲ୍ଲୀରେ ପହଞ୍ଚିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ । ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ଭାରତ ମାଟିରେ ପାଦ ରଖୁଛନ୍ତି ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗ । ତାଙ୍କୁ ନେଇ ଆସିଥିବା ସ୍ୱତନ୍ତ୍ର ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ପରେ ଭାରତ ଗସ୍ତର ଔପଚାରିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସି ଜିନପିଙ୍ଗଙ୍କ ସହ ଚୀନର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ମଧ୍ୟ ଦିଲ୍ଲୀ ଆସିଛି ।ଜିନପିଙ୍ଗ ଭାରତରେ ପହଁଚିବାର କିଛି ସମୟ ପୂର୍ବରୁ ଚାଇନାର ପ୍ରତିକ୍ରିୟା ଆସିଥିଲା । ଚୀନ୍ କହିଥିଲା ଯେ, ଦୁଇ ଦେଶ ମଧ୍ୟରେ ମତଭେଦ ରହିଛି । ଏହାର ସମାଧାନ ହେବା ଆବଶ୍ୟକ । ଦୁଇ ପଡୋଶୀ ଦେଶ ଏକାଠି ହୋଇ ଆଗକୁ ବଢିବା ଦରକାର । ସାଙ୍ଗ ହୋଇ ଆଗକୁ ବଢିଲେ ଖୁବ୍ ଭଲ ହେବ । ଏହାସହ ଆଲୋଚନା ବଢାଇବା ପାଇଁ ମଧ୍ୟ ବେଜିଂ ଗୁରୁତ୍ୱ ଦେଇଛି ।ଗତ କିଛି ବର୍ଷ ଧରି ସୀମା ବିବାଦ ଓ ଗଲୱାନ୍ ଘଟଣାକୁ ନେଇ ଦୁଇ ଦେଶର ସମ୍ପର୍କରେ ତିକ୍ତତା ରହିଥିଲା । ୨୦୨୦ର ଗଲୱାନ୍ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ସାମରିକ ଓ କୂଟନୈତିକ ଦୂରତା ବଢ଼ିଥିଲା । କିନ୍ତୁ ୨୦୨୪ ପରେ ସମ୍ପର୍କରେ ଧୀରେ ଧୀରେ ସୁଧାର ଆସିବା ଆରମ୍ଭ ହୋଇଛି । ଏହି ମୋଦି-ଜିନପିଙ୍ଗ୍ ଦ୍ୱିପାକ୍ଷିକ ବୈଠକରେ ସୀମା ସମସ୍ୟା ସହିତ ବାଣିଜ୍ୟ, ବଜାର ପ୍ରବେଶ, ଭିସା, ନିବେଶ ଏବଂ ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ଭଳି ପ୍ରସଙ୍ଗ ଆଲୋଚନାକୁ ଆସିପାରେ ।
