ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ୨୦୨୬ ରେଜଲ୍ଟ। ସୋମବାର ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ବୈଷୟିକ ଶିକ୍ଷା ମନ୍ତ୍ରୀ। ଚଳିତ ବର୍ଷ ମୋଟ ୧ ଲକ୍ଷ୍ୟ ୦୩ ହଜାର ୪୩୪ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨ ହଜାର ୬୨୮ ଜଣ ପରୀକ୍ଷା ଦେଇଛନ୍ତି । ମୋଟ ୮୯.୫୫ ପ୍ରତିଶତ ପରୀକ୍ଷାର୍ଥୀ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ ।ରାଜ୍ୟର ୩୦ ଜିଲ୍ଲାର ୯୩ ସେଣ୍ଟରରେ ହୋଇଥିଲା ପରୀକ୍ଷା। ଏଥିସହ ରାଜ୍ୟ ବାହାରେ କଲିକତା, ରାଞ୍ଚି ଓ ପାଟନା ମଧ୍ୟ ପରୀକ୍ଷା କେନ୍ଦ୍ର ହୋଇଥିଲା। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୧୬ ଟି ବୈଷୟିକ ଓ ବୃତ୍ତିଗତ ଶିକ୍ଷାରେ ଯୋଗ ଦେବେ ଛାତ୍ରଛାତ୍ରୀ। ଏନେଇ ଚଳିତ ମାସ ତୃତୀୟ ସପ୍ତାହରୁ ଆରମ୍ଭ ହେବ କାଉନସେଲିଂ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏଥିମଧ୍ୟରୁ ବି.ଫାର୍ମ (B. Pharm) ରେ ଶୁଭ୍ରାଂଶୁ ସୁତାର, ଏମବିଏ (MBA) ରେ ତ୍ରିବିକ୍ରମ ପ୍ରଧାନ, ଏମସିଏ (MCA) ରେ ନରେନ ପାତ୍ର ଏବଂ ସାମଗ୍ରିକ ଭାବେ ଏମ.ଟେକ୍ (M.Tech) ରେ ସ୍ୱାଗତ କୁମାର ବେହୁରା ଟପ୍ପର ହୋଇଛନ୍ତି । ପରୀକ୍ଷାର୍ଥୀମାନେ OJEE ର ଅଫିସିଆଲ୍ ୱେବସାଇଟ୍ www.ojee.nic.in ରୁ ନିଜର ର୍ୟାଙ୍କ କାର୍ଡ ଡାଉନଲୋଡ୍ କରିପାରିବେ ଏବଂ ଆଗାମୀ ଦିନରେ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ପାଇଁ କାଉନସେଲିଂ ପ୍ରକ୍ରିୟାରେ ଭାଗ ନେଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
