Oplus_131072

ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ନୟାଗଡ଼,(ଓଡ଼ିଶା ଦର୍ପଣ): ଜଣେ ଶିକ୍ଷକର କେବେ ଅବସର ନଥାଏ । ସେ ସବୁ ସମୟ ପାଇଁ ହିଁ ଶିକ୍ଷକ ଅଟେ । କେବଳ ଜଣେ ଶିକ୍ଷକ ସମଗ୍ର ଜୀବନକାଳ ପର୍ଯ୍ୟନ୍ତ ଶିକ୍ଷକର ମର୍ଯ୍ୟଦା ହିଁ ପାଇଥାଏ । ନୟାଗଡ଼ ବ୍ଲକ ଅନ୍ତର୍ଗତ ମର୍ଦ୍ଦରାଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ପଣ୍ଡାଙ୍କ ଆଜି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ଯୋଗଦାନ କରିଥିବା ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି । 

ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବ୍ଲକ ଶିକ୍ଷାଧିକାରିଣୀ ମୁନରାଣୀ ମହାନ୍ତି ଯୋଗଦାନ କରିଥିବା ବେଳେ ବିଶିଷ୍ଟ ଅତିଥି ଭାବେ ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ନୀଳାମ୍ବର ତ୍ରିପାଠୀ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୟ ମଲ୍ଲିକ,ଅମିତା ମିଶ୍ର,ପୂର୍ବତନ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ମହାସଚିବ  ଶେଖ ଅବଦୁଲ ଖାଲିକ,ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଜ୍ୟୋତିରଞ୍ଜନ ଦାଶ, ସାଧାରଣ ସମ୍ପାଦକ ଭକ୍ତରଞ୍ଜନ ମିଶ୍ର, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିପିନ ବିହାରୀ ଦାସ, ସମ୍ପାଦକ ଭକ୍ତ ବଲ୍ଲଭ ବଟକୃଷ୍ଣ ମିଶ୍ର ଏବଂ  ଲକ୍ଷ୍ମୀଧର ସାହୁ ପ୍ରମୁଖ ଯୋଗଦାନ କରି ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଜୟକୃଷ୍ଣ ପଣ୍ଡା ଜଣେ କର୍ମଠ,ଦକ୍ଷ ତଥା ଛାତ୍ରବତ୍ସଳ ଶିକ୍ଷକ ଥିଲେ ବୋଲି ବର୍ଣ୍ଣନା କରିଥିଲେ ।

ଶେଷରେ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକଙ୍କୁ ସଂପୃକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ମାନପତ୍ର, ଉପଢୌକନ ଏବଂ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିିତ କରାଯାଇଥିଲା । ସଭା ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇ ପରବର୍ତ୍ତୀ ସମୟରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ/ଶିକ୍ଷୟିତ୍ରୀ, ଅବସରପ୍ରାପ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ବଟକୃଷ୍ଣ ମିଶ୍ର ପରିଚାଳନା କରିଥିବା ବେଳେ ଶିକ୍ଷକ ମନୋରଞ୍ଜନ ସାହୁ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସମସ୍ତ ସଦସ୍ୟ,ଅଭିଭାବକ,କ୍ଲଷ୍ଟର ଅନ୍ତର୍ଗତ ବିଦ୍ୟାଳୟ ମାନଙ୍କ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ,ପୁରାତନ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଯୋଗଦାନ କରିଥିଲେ। ଶେଷରେ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡାଙ୍କୁ ବ୍ଲକ ଶିକ୍ଷା ପ୍ରଶାସନ ପକ୍ଷରୁ ପ୍ରୋଭିଜନାଲ ପେନସନ ପ୍ରଦାନ କରାଯାଇଥିଲା।

ଅଧିକ ପଢନ୍ତୁ