ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଭେଟି । ସହରର ଭିତ୍ତିଭୂମି ସହ ଅର୍ଥନୈତିକ ବିକାଶକୁ ନେଇ ରୋଜଗାର, ଉଦ୍ୟମ, ଶିକ୍ଷା ଓ ସମୃଦ୍ଧିର କେନ୍ଦ୍ର କରିବାକୁ ଯାଇ ୨୮ଟି ନବ ଗଠିତ NACରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତ୍ୟେକ NAC ପାଇଁ ୨୦ କୋଟି ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ। ଏଥିରେ ସମ୍ପୃକ୍ତ ଅଞ୍ଚଳ ଗୁଡିକରେ ରାସ୍ତା, ଡ୍ରେନ୍, ମାର୍କେଟ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟ ସମ୍ପନ୍ନ ହେବ। ଏଥିସହିତ ୬୨ଟି ପୌରାଞ୍ଚଳ ପାଇଁ ୩୨୩ କୋଟି ଟଙ୍କା ବିନିଯୋଗରେ ୫୯୩ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଏହି ପ୍ରକଳ୍ପ ଗୁଡିକ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ ଅଧିନରେ କାର୍ଯ୍ୟକାରୀ ହେବ। ଏଥିରେ ୧୦୨ କୋଟି ଟଙ୍କା ମୂଲ୍ୟର ୪୨୩ଟି ପ୍ରକଳ୍ପର ଉଦ୍ଘାଟନ ଥିବା ବେଳେ, ୨୨୧ କୋଟି ଟଙ୍କା ମୂଲ୍ୟର ୧୭୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ରହିଛି।ସ୍ୱାୟତ୍ତ ଶାସନ ଦିବସ ଅବସରରେ ପୌର ସଂସ୍ଥା ଗୁଡିକର ଦକ୍ଷତା ବୃଦ୍ଧି ପାଇଁ ଆଜି ଓଡ଼ିଶା ଅର୍ବାନ ଏକାଡେମୀ ସହିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, Indian School of Business ଏବଂ National Institute of Urban Affairs ର ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏଥି ସହିତ CRUT ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି । ଆହୁରି ମଧ୍ୟ ୧୧୫ଟି ପୌର ସଂସ୍ଥାରେ OSWAN ଭିଡିଓ କନଫରେନ୍ସିଂ ସୁବିଧା ଏବଂ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ବନ୍ଧୁ’, ଓଡ଼ିଶା ଯାତ୍ରୀ ଏସ୍.ଓ.ଏସ୍. ଆପ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି ।ସେପଟେ ପୌର ସଂସ୍ଥାକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ନାଗରିକମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବା ପାଇଁ ପୌର ପ୍ରଶାସନର ଅଧିକାରୀ, କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ତାଗିଦ କରିଛନ୍ତି । ନୂଆ ଢ଼ାଞ୍ଚାରେ ନୂଆ ପ୍ରଯୁକ୍ତୁବିଦ୍ୟା ସହ କାମ କରିବାର ଧାରା ବା ସଂସ୍କୃତିକୁ କୁ ବଦଳାଇ ସହରାଞ୍ଚଳ ଲୋକଙ୍କୁ ସହଜ ଓ ଉତ୍ତମ ସେବା ଯୋଗାଇଦେବା ପାଇଁ ଅଧିକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
