ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍ଭି ଓସେନ ୱିନର୍’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ ୨୩୦ ନଟିକାଲ ମାଇଲ (୩୯୬ କି.ମି.) ଦୂରରେ ଏହି ଦୁର୍ଘଟଣା ଘଟିଛି। ଜାହାଜରେ ଥିବା ମୋଟ ୨୪ ନାବିକଙ୍କ ମଧ୍ୟରୁ ଭାରତୀୟ ସୁରକ୍ଷା ସନ୍ଧାନୀ ଟିମ (ନୌସେନା ଓ କୋଷ୍ଟଗାର୍ଡ) ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଥିବା ବେଳେ ଅବଶିଷ୍ଟ ୨୨ ନାବିକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ସେମାନେ କେଉଁ ଅବସ୍ଥାରେ କେଉଁଠି ଅଛନ୍ତି, ଜୀବିତ କି ମୃତ ସେ ସମ୍ପର୍କରେ ଏଯାଏଁ କୌଣସି ସୂଚନା ଆସିପାରିନି ? ଲଘୁଚାପ ଯୋଗୁଁ ବଙ୍ଗୋପସାଗରରେ ପାଗ ପ୍ରତିକୂଳ ରହିଛି। ନିଖୋଜ ନାବିକମାନଙ୍କୁ ଠାବ ଓ ଉଦ୍ଧାର କାର୍ଯ୍ୟରେ ଏଭଳି ପରିସ୍ଥିତି ପ୍ରତିବନ୍ଧକ ସାଜୁଥିବା କୁହାଯାଉଛି। ଏହାସତ୍ତ୍ବେ ରେସ୍କୁ ଅପରେସନ ଜାରି ରହିଛି। ଜାହାଜରେ ୨୦ ଜଣ ଚାଇନା, ୩ ଜଣ ମ୍ୟାନମାର୍ ଏବଂ ଜଣେ ବାଂଲାଦେଶୀ ନାବିକ ରହିଥିଲେ। ଉଦ୍ଧାର ହୋଇଥିବା ୨ ନାବିକଙ୍କୁ ନିକଟସ୍ଥ ଏକ ବାଣିଜି୍ୟକ ଜାହାଜ ‘ଏମ୍ଟି ଆଇସୋପୋସ’ ସାହାଯ୍ୟରେ ସମୁଦ୍ରର ‘ଲାଇଫ୍ରାଫ୍ଟ’ରୁ ଉଦ୍ଧାର କରାଯାଇଛି। ନାବିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଚିନ୍ତାବ୍ୟକ୍ତ କରିବା ସହ ପ୍ରାର୍ଥନା କରିଛନ୍ତି।
