ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁ ଓ କ୍ଷୟକ୍ଷତି ହ୍ରାସ କରିବା ଓଡ଼ିଶା ସରକାରଙ୍କ ଲକ୍ଷ୍ୟ । ବଜ୍ରପାତ ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିବେ ଏସଓପି ଓ କାର୍ଯ୍ୟଯୋଜନା । ଏଥିପାଇଁ OSDMA ପକ୍ଷରୁ ଭୁବନେଶ୍ୱରରେ ଆୟୋଜନ ହୋଇଛି ଜାତୀୟ ବଜ୍ରପାତ ସୁରକ୍ଷା କର୍ମଶାଳା । ଆସନ୍ତାକାଲିରୁ ଦୁଇ ଦିନ ଧରି ଚାଲିବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ ଦେଶର ପ୍ରମୁଖ ବୈଜ୍ଞାନିକ ଓ ବୈଷୟିକ ଅନୁଷ୍ଠାନ, ଗବେଷକ, ବିଶେଷଜ୍ଞ ଓ ବିଶ୍ୱବିଦ୍ୟାଳୟ । ଜାତୀୟ କର୍ମଶାଳା ଉଦଘାଟନ କରିବେ ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।ବଜ୍ରପାତର ପୂର୍ବାନୁମାନ, ବିପଦ ଆକଳନ, ଆଗୁଆ ସତର୍କ ସୂଚନାର ପ୍ରସାର ଏବଂ ଜନସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ।କର୍ମଶାଳାର ପ୍ରଥମ ଦିନରେ ଉପଗ୍ରହ ତଥ୍ୟର ସମନ୍ୱୟ, ସଂଖ୍ୟାତ୍ମକ ପାଣିପାଗ ପୂର୍ବାନୁମାନ, କୃତ୍ରିମ ବୁଦ୍ଧିମତ୍ତା ବା Artificial Intelligence ଓ ମେସିନ ଲର୍ଣ୍ଣିଂର ନୂତନ ପ୍ରୟୋଗ ଏବଂ ପଞ୍ଚାୟତସ୍ତରୀୟ ନିଷ୍ପତ୍ତି ସହାୟକ ବ୍ୟବସ୍ଥା ମାଧ୍ୟମରେ ବଜ୍ରପାତ ଚିହ୍ନଟ, ନିରୀକ୍ଷଣ ଓ ପୂର୍ବାନୁମାନ ବ୍ୟବସ୍ଥାର ଉନ୍ନତି ଉପରେ ଆଲୋଚନା କରାଯିବ ।
