ରାୟଗଡା :ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବିଜେଡିରୁ ନିଲମ୍ବିତ ହୋଇଛନ୍ତି ରାୟଗଡ଼ା ପୌରପରିଷଦ ଅଧ୍ୟକ୍ଷ ମହେଶ ପଟ୍ଟନାୟକ ଏବଂ ୧୬ ନମ୍ବର ୱାର୍ଡ କାଉନସିଲର ଶ୍ରମିତା ପାଢ଼ୀ। ଆଜି ବିଜେଡି ପକ୍ଷରୁ ଜାରି କାର୍ଯ୍ୟାଳୟ ଆଦେଶରେ ଉଭୟଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବନ କରାଯାଇଥିବା ଦର୍ଶାଯାଇଛି।ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକଙ୍କ ସ୍ୱାକ୍ଷରରେ ଜାରି ହୋଇଛି ଏହି କାର୍ଯ୍ୟାଳୟ ଆଦେଶ। ଦଳ ବିରୋଧୀ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗରେ ମହେଶ ପଟ୍ଟନାୟକ ଓ ଶ୍ରମିତା ପାଢ଼ୀଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଦଳର ସଭାପତିଙ୍କ ଆଦେଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ପତ୍ରରେ ଉଲ୍ଲେଖ ରହିଛି। ସେପଟେ, ଆଜି ରାୟଗଡ଼ା ପୌର ପରିଷଦର ଉପାଧ୍ୟକ୍ଷା ପଦ ପାଇଁ ହୋଇଥିଲା ଉପନିର୍ବାଚନ। ଏଥିରେ କେବଳ ୧୬ ନମ୍ବର ୱାର୍ଡର କାଉନସିଲର ଶ୍ରମିତା ପାଢ଼ୀ ନାମାଙ୍କନ ଦାଖଲ କରିଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ୨୪ ଜଣ କାଉନସିଲରଙ୍କ ମଧ୍ୟରୁ ୨୦ ଜଣ ଉପସ୍ଥିତ ଥିଲେ। ପୂର୍ବରୁ ଉପାଧ୍ୟକ୍ଷା ଥିବା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ଭୋଟରେ ସେ ପରାସ୍ତ ହେବା ପରେ ପଦଟି ଖାଲି ପଡ଼ିଥିଲା। ଏହାକୁ ନେଇ ପୌର ପରିଷଦରେ ରାଜନୈତିକ ଟଣାଓଟରା ମଧ୍ୟ ଦେଖିବାକୁ ମିଳିଥିଲା। ରାୟଗଡ଼ା ପୌର ପରିଷଦରେ ୨୪ ଜଣ କାଉନସିଲର ଅଛନ୍ତି। ସେଥିରୁ ବିଜେପିର ୨, ବିଜେଡିର ୨ ଓ କଂଗ୍ରେସର ଜଣେ ଥିବା ବେଳେ ୧୯ ଜଣ କାଉନସିଲର ବୀଜୁ ସ୍ୱାଭିମାନ ମଞ୍ଚର ସଭାପତି ଏନ୍. ଭାସ୍କର ରାଓଙ୍କ ସମର୍ଥକ ଭାବେ ରହିଛନ୍ତି। ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।
