ଗିରଫ ହେବ ବିଦେଶୀ ଜାହାଜ । “ଏମଟି ୟୁନିଟ” କୁ ଗିରଫ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଏକ ସାମୁଦ୍ରିକ ମାମଲାର ଶୁଣାଣି କରି ପାରାଦୀପରେ ଥିବା ବିଦେଶୀ ଜାହାଜ “ଏମଟି ୟୁନିଟ” କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସୋଗ୍ଲାସି ଇନସୁ୍ୟରାନ୍ସ ଲିମିଟେଡ କମ୍ପାନୀ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ଆଡମିରାଲ ଜଜ୍ ଜଷ୍ଟିସ ଭି.ନରସିଂହ ଏହି ଆଦେଶ ଦେଇଛନ୍ତି ।”ସୋଗ୍ଲାସି ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍’ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଜାହାଜ ଏବଂ ତା’ର ମାଲିକଙ୍କ ବିରୋଧରେ ୩ କୋଟିରୁ ଅଧିକ ଟଙ୍କା ବାକି ପରିଶୋଧ ପାଇଁ ଦାବି କରିଥିଲେ । ଜାହାଜର କର୍ମଚାରୀମାନଙ୍କ ବାକି ଦରମା ଏବଂ ଜାହାଜ ଚଳାଚଳ ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଣ ବାବଦରେ ଏହି ଖର୍ଚ୍ଚ ହୋଇଥିବା ଆବେଦନକାରୀ ଦର୍ଶାଇଥିଲେ । “ଆଡମିରାଲ୍ଟି ଆକ୍ଟ-୨୦୧୭ର ଧାରା ୪(୧) ଅଧୀନରେ ବାକି ଅର୍ଥର ଦାବି ଗ୍ରହଣଯୋଗ୍ୟ ହୋଇଥିବାରୁ ଏବଂ ଜାହାଜଟି ପାରାଦୀପ ବନ୍ଦର ଛାଡ଼ି ଚାଲିଯିବାର ସମ୍ଭାବନା ଥିବାରୁ କୋର୍ଟ ତୁରନ୍ତ ଏହାକୁ ଗିରଫ କରିବାକୁ ଆଦେଶ ଦେଇଛନ୍ତି । ତେବେ ଜାହାଜରେ ଥିବା ସାମଗ୍ରୀ ସହିତ ଏହି ମାମଲାର କୌଣସି ସମ୍ପର୍କ ନଥିବାରୁ ଜାହାଜରୁ ମାଲ ଖଲାସି କାର୍ଯ୍ୟ ଜାରି ରହିଛି ।
