ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ବେତନଟୀ ଜଗନ୍ନାଥ ମନ୍ଦିର ନିକଟ ଶୁଖିଲାହାର ମହୁଲିଆ ଠାରେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର । ପାରିପାର୍ଶ୍ବିକ ସ୍ଥିତିରୁ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ମହିଳା ଜଣକ ବେତନଟୀ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ବିବାହିତ ମହିଳାଙ୍କୁ ତାଙ୍କୁ ପୁରୁଷ ବନ୍ଧୁ ହତ୍ୟା କରିଛି । ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।ସୂଚନା ଅନୁସାରେ, ମୃତ ମହିଳା ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ ମନମାଳିନ୍ୟକୁ ନେଇ ଉଭୟଙ୍କ ସମ୍ପର୍କ ଭଲ ନଥିଲା । ମୃତ ମହିଳା ଜଣକ ତାଙ୍କ ପୁରୁଷ ବନ୍ଧୁ ଜିତେନ୍ଦ୍ର ମହାନ୍ତଙ୍କ ସହ ଶନିବାର ବାରିପଦା ଯାଇଥିଲେ । ପୋଲିସ କହିଛି ଯେ, ଦୁହେଁ ସେଠାରେ କିଛି ସପିଂ କରିଥିଲେ । କିନ୍ତୁ, ମହିଳା ଜଣକ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ, ଏହା ପରେ ତାଙ୍କ ପରିବାର ତାଙ୍କୁ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଉତ୍ତର ପାଇ ନଥିଲେ । ଏନେଇ ମହିଳାଙ୍କ ସ୍ବାମୀ ରାତି ୧୦ଟା ସମୟରେ ବେତନଟୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।
ବିଳମ୍ବିତ ରାତିରେ ମହିଳାଙ୍କୁ ଉଦ୍ଧାର କରାଯାଇ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବେତନଟୀ ଥାନାରେ ପୋଲିସ କେସ ନଂ ୨୭୨ରେ ଏକ ମାମଲା ରୁଜୁ କରି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ପାରିପାର୍ଶ୍ବିକ ସ୍ଥିତିରୁ ସନ୍ଦେହ କରାଯାଉଛି । ଘଟଣାରେ ମୃତ ମହିଳାଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ ପଚରାଉଚରା ପରେ ଗିରଫ କରିଛି ।
