ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା)ର ସାମାଜିକ ଶାଖା ‘ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ’ (ଇମ୍ପାକ୍ଟ) ପକ୍ଷରୁ ପ୍ରତିବର୍ଷ ଶ୍ରେଷ୍ଠ ସାରସ୍ୱତ କୃତି ପାଇଁ ପ୍ରଦାନ କରାଯାଉଥିବା ସ୍ମାରକୀ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ବିଶିଷ୍ଟ ଓଡ଼ିଆ କବି, ପ୍ରାବନ୍ଧିକ ତଥା ସିଏସଆଇଆର-ଆଇଏମଏମଟି ର ପୂର୍ବତନ ବୈଜ୍ଞାନିକ ଡକ୍ଟର ଆଶୁତୋଷ ପରିଡ଼ାଙ୍କୁ ପ୍ରଦାନ କରାଯିବ। ପ୍ରଭା ପବ୍ଲିକେଶନ ଦ୍ୱାରା ୨୦୨୪ ମସିହାରେ ପ୍ରକାଶିତ ତାଙ୍କର କବିତା ସଙ୍କଳନ ‘ବିଶ୍ୱାସ ଦେ ପୃଥିବୀ’ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।ଅକ୍ଟୋବର ୨୫ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଆଶୁତୋଷ ପରିଡ଼ାଙ୍କୁ ମାନପତ୍ର, ତାମ୍ରଫଳକ ଏବଂ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।ଏହି ବିଚାର ପ୍ରକ୍ରିୟାର ଚୂଡ଼ାନ୍ତ ପର୍ଯ୍ୟାୟକୁ ସ୍ଥାନ ପାଇଥିବା ସାତୋଟି ବହି ହେଉଛି- ଅପର୍ଣ୍ଣା ମହାନ୍ତିଙ୍କ ‘ଅପର୍ଣ୍ଣା ମହାନ୍ତିଙ୍କ ପାଇଁ କବିତା’, ପଦ୍ମଜା ପାଳଙ୍କ ‘ଡାହାଣ ପାଦ ବାମ ପାଦ’, ଆଶୁତୋଷ ପରିଡ଼ାଙ୍କ ‘ବିଶ୍ୱାସ ଦେ ପୃଥିବୀ’, ଅର୍ଚ୍ଚନା ନାୟକଙ୍କ ‘ସୀତା’, ବିଜୟ ନାୟକଙ୍କ ‘ମାୟାବାର୍ତ୍ତା’, ପ୍ରକାଶ ମହାପାତ୍ରଙ୍କ ‘ମୋକ୍ଷ ମୁଦ୍ରା’ ଏବଂ ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ‘କବିଙ୍କ ନାମ ବେଦବ୍ୟାସ’। ୨୦୨୬ ମସିହାର ଏହି ମନୋନୟନ ପ୍ରକ୍ରିୟାରେ କବିତା, ଗଳ୍ପ, ଉପନ୍ୟାସ, କ୍ଷୁଦ୍ରଗଳ୍ପ ଏବଂ ନାଟକ ଭଳି ବିଭିନ୍ନ ବିଭାଗର ପୁସ୍ତକ ସାମିଲ ରହିଥିଲା, ଯାହା ଚଳିତ ବର୍ଷର ସାହିତ୍ୟିକ କୃତିର ବିବିଧତା ଓ ଗଭୀରତାକୁ ଦର୍ଶାଉଛି।
