ବ୍ରିକ୍ସର ‘ନୂଆଦିଲ୍ଲୀ ଘୋଷଣାପତ୍ର’ରେ ପହଲଗାମ ଆକ୍ରମଣକୁ ନିନ୍ଦା

ବ୍ରିକ୍ସ(BRICS)ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ସର୍ବସମ୍ମତିକ୍ରମେ ‘ଦିଲ୍ଲୀ ଘୋଷଣାପତ୍ର ୨୦୨୬’ ଗୃହୀତ ହୋଇଛି। ଏହି ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି, ଯାହା ଭାରତ ପାଇଁ ଏକ ବଡ଼ କୂଟନୈତିକ ବିଜୟ ବୋଲି ବିବେଚନା କରାଯାଉଛି।ଘୋଷଣାପତ୍ର ଉପସ୍ଥାପନ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଆଜିର ବୈଠକ ଅତ୍ୟନ୍ତ ଫଳପ୍ରଦ ଏବଂ ସୃଜନଶୀଳ ରହିଛି। ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ମିଳିତ ପ୍ରତିବଦ୍ଧତା ସ୍ପଷ୍ଟ ଭାବେ ସାମ୍ନାକୁ ଆସିଛି। ବଦଳୁଥିବା ବିଶ୍ୱକୁ ପୁରୁଣା ବ୍ୟବସ୍ଥା ଓ ପୁରୁଣା ସମ୍ବଳ ଆଧାରରେ ପରିଚାଳନା କରାଯାଇପାରିବ ନାହିଁ। ବିଶ୍ୱର ପ୍ରମୁଖ ସଂସ୍ଥାଗୁଡ଼ିକରେ ସଂସ୍କାରର ଆବଶ୍ୟକତା ରହିଛି। ଗ୍ଲୋବାଲ ସାଉଥ୍ ଦେଶଗୁଡ଼ିକୁ ମଧ୍ୟ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଧିକ ଭାଗୀଦାର କରିବା ଆବଶ୍ୟକ।ଚାଇନା-ରୁଷିଆ ସମେତ ବ୍ରିକ୍ସର ସମସ୍ତ ସଦସ୍ୟ ରାଷ୍ଟ୍ର ପହଲଗାମ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ଧର୍ମ ଆଧାରରେ ହିଂସା କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ସଂକେତ ଦେଇଛନ୍ତି। ଆକ୍ରମଣ ପୂର୍ବରୁ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ହିନ୍ଦୁମାନଙ୍କ ପ୍ରତି ଦେଇଥିବା ବିବାଦୀୟ ବୟାନକୁ ଦୃଷ୍ଟିରେ ରଖି ଏହି ଘୋଷଣାନାମା ପାକିସ୍ତାନକୁ ପରୋକ୍ଷରେ ଦାୟୀ କରିଛି।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ କାହା ବିରୋଧରେ ଯିବା ନାହିଁ, ବରଂ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ପାଇଁ ଚିନ୍ତା କରିବା । ବିଶ୍ୱ ସ୍ତରରେ ଆମର ଏକତା ଓ ସହମତିକୁ ପ୍ରତ୍ୟକ୍ଷ ଓ ଦୃଢ଼ ଫଳାଫଳରେ ପରିଣତ କରିବାର ସମୟ ଆସିପହଞ୍ଚିଛି । ଆଗାମୀ ୨୦ ବର୍ଷ ପାଇଁ ଆମକୁ ଏକ ନୂତନ, ଦୂରଦୃଷ୍ଟିସମ୍ପନ୍ନ ଓ ମହତ୍ୱାକାଂକ୍ଷୀ ଏଜେଣ୍ଡା ଉପରେ କାମ କରିବାକୁ ପଡ଼ିବ । ଏହାସହ ବିଶ୍ୱ ଶାସନ ସଂସ୍କାର ପାଇଁ ସେ ଏକ ୧୦-ସୂତ୍ରୀ ରୋଡମ୍ୟାପ୍ ପ୍ରସ୍ତାବ ଦେଇଥିଲେ, ଯାହା ପ୍ରତିନିଧିତ୍ୱ, ପ୍ରତିକ୍ରିୟାଶୀଳତା ଏବଂ ନିୟମ ନିର୍ଦ୍ଧାରଣ ଭଳି ତିନୋଟି ବ୍ୟାପକ ପ୍ରାଥମିକତା ଉପରେ ଆଧାରିତ । ଏଥିସହିତ, ବ୍ରିକ୍ସ ମଧ୍ୟରେ ଦୃଢ଼ ସଂସ୍ଥାଗତ ନିରନ୍ତରତା ବଜାୟ ରଖିବା ପାଇଁ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି ।

ଅଧିକ ପଢନ୍ତୁ