ଭାରତୀୟ ଯୁଦ୍ଧପୋତ ସହ ପାକିସ୍ତାନୀ ନୌସେନା ଜାହାଜର ଧକ୍କା

India and Pakistan Navies collide ଭାରତ ଓ ପାକିସ୍ତାନ ମଧ୍ୟରେ ସର୍ବଦା ଚାଲିଥିବା ଉତ୍ତେଜନା ଭିତରେ ସମୁଦ୍ରରେ ଦୁଇ ଦେଶର ନୌସେନା ମୁହାଁମୁହିଁ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ପାକିସ୍ତାନର ଏକ ନୌସେନା ଜାହାଜ ଭାରତୀୟ ନୌସେନାର ଏକ ଫ୍ରଣ୍ଟଲାଇନ ଯୁଦ୍ଧପୋତ ସାମ୍ନାକୁ ଆସିଛି ।ଘଟଣାରେ ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଜୀବନହାନି ହୋଇନଥିବା ଜଣାପଡ଼ିଛି । ତେବେ ଘଟଣାକୁ ନେଇ ଭାରତ ସରକାର କିନ୍ତୁ ଗମ୍ଭୀର ଆପତ୍ତି ପ୍ରକଟ କରିଛି । ସୂଚନା ଅନୁସାରେ, ଭାରତୀୟ ଯୁଦ୍ଧପୋତଟି ଉତ୍ତର ଆରବ ସାଗରରେ ପେଟ୍ରୋଲିଂ ଓ ନିରୀକ୍ଷଣ କାର୍ଯ୍ୟରେ ନିୟୋଜିତ ଥିଲା । ଏହି ସମୟରେ ପାକିସ୍ତାନୀ ନୌସେନାର ଜାହାଜଟି ଦ୍ରୁତ ଗତିରେ ଭାରତୀୟ ଯୁଦ୍ଧପୋତ ନିକଟକୁ ଆସିଥିଲା। ଭାରତର ଅଭିଯୋଗ ଅନୁସାରେ, ପାକିସ୍ତାନୀ ଜାହାଜର ଚାଳନା ଅସୁରକ୍ଷିତ ଓ ଅପେଶାଦାର ଥିଲା, ଯାହା ଫଳରେ ଦୁଇ ନୌସେନା ଜାହାଜ ମଧ୍ୟରେ ଧକ୍କା ହୋଇଥିଲା ।

ଘଟଣାଟି ଅନ୍ତର୍ଜାତୀୟ ଜଳସୀମାରେ ଘଟିଥିବାରୁ ଏହାକୁ ନେଇ ଭାରତ ବିଶେଷ ସତର୍କତା ଅବଲମ୍ବନ କରିଛି। ଭାରତୀୟ ପକ୍ଷରୁ କୁହାଯାଇଛି ଯେ ଏଭଳି ସାମୁଦ୍ରିକ ଘଟଣାକୁ ଏଡ଼ାଇବା ପାଇଁ ଦୁଇ ଦେଶ ମଧ୍ୟରେ ପୂର୍ବରୁ ହୋଇଥିବା ବୁଝାମଣା ଓ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଆବଶ୍ୟକ। ୨୦୨୫ରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ପରେ ଭାରତୀୟ ନୌସେନା ଆରବ ସାଗରରେ ନିଜର ପ୍ରସ୍ତୁତି ବଢ଼ାଇଥିବା ନେଇ ରିପୋର୍ଟ ଆସିଥିଲା । ଏହି ପରିସ୍ଥିତିରେ ସମୁଦ୍ରରେ ଦୁଇ ଦେଶର ନୌସେନା ମଧ୍ୟରେ କୌଣସି ଘଟଣା ଘଟିଲେ ତାହାର ପ୍ରଭାବ କେବଳ ସାମରିକ କ୍ଷେତ୍ରରେ ସୀମିତ ନ ରହି କୂଟନୈତିକ ସମ୍ପର୍କ ଉପରେ ମଧ୍ୟ ପଡ଼ିପାରେ ।

ଅଧିକ ପଢନ୍ତୁ