ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଗୋଟିଏ ବର୍ଷ ପୂରିଛି । ଆକ୍ରମଣର ପ୍ରଥମ ବାର୍ଷିକୀରେ ଭାରତ ପହଲଗାମ ସହିଦଙ୍କୁ ଭୁଲିନାହିଁ ।ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରଥମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ସେମାନଙ୍କୁ କେବେ ଭୁଲି ହେବ ନାହିଁ। ଭାରତ କେବେ ବି କୌଣସି ପ୍ରକାରର ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଆତଙ୍କବାଦୀଙ୍କ ଘୃଣ୍ୟ ଯୋଜନା କେବେବି ସଫଳ ହେବ ନାହିଁ। ଏହି ଦୁଃଖର ମୁହୂର୍ତ୍ତରେ, ତାଙ୍କର ଚିନ୍ତାଧାରା ଏବଂ ସମବେଦନା ଶୋକସନ୍ତପ୍ତ ପରିବାର ସହିତ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଆତଙ୍କବାଦ ବିରୋଧରେ ଭାରତର ଜିରୋ ଟଲେରାନ୍ସ ବା ଶୂନ୍ୟ ସହନଶୀଳତା ନୀତିକୁ ଦୋହରାଇଛନ୍ତି । ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ରାଷ୍ଟ୍ର ଭାବରେ, ଆମେ ଏହି ଦୁଃଖ ଏବଂ ସଂକଳ୍ପର ମୁହୂର୍ତ୍ତରେ ଏକତ୍ରିତ ହୋଇ ଠିଆ ହୋଇଛୁ ।ଗତ ବର୍ଷ ଏପ୍ରିଲ ୨୨ରେ, ପାକିସ୍ତାନ-ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (LeT) ସହିତ ଜଡିତ ଆତଙ୍କବାଦୀମାନେ ପହଲଗାମର ଆରୁ ଉପତ୍ୟକା ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ଉପରେ ଅଚାନକ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ୨୬ ଜଣଙ୍କର ଜୀବନ ଯାଇଥିଲା। ଆତଙ୍କବାଦୀମାନେ ମହିଳା ଏବଂ ପିଲାମାନଙ୍କ ଉପସ୍ଥିତିରେ ଗୁଳି କରିବା ପୂର୍ବରୁ ପୀଡିତମାନଙ୍କୁ ସେମାନଙ୍କ ନାମ ଏବଂ ଧାର୍ମିକ ପରିଚୟ ପଚାରିଥିଲେ। ଏହି ଆକ୍ରମଣ ପରେ ସମଗ୍ର ଦେଶରେ ଆତଙ୍କବାଦୀ ଏବଂ ପାକିସ୍ତାନ ବିରୋଧରେ ଭାରତ ‘ଅପରେଶନ ସିନ୍ଦୂର’ ଆରମ୍ଭ କରିଥିଲା।
