ସୋସିଆଲ ମିଡିଆ ପ୍ଲାଟଫର୍ମ ‘ମେଟା’ (ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ୱାଟ୍ସଆପ୍)ରେ ଶିଶୁ ଯୌନ ଶୋଷଣ ସମ୍ବନ୍ଧୀୟ ସାମଗ୍ରୀ ଏବଂ ଡିପଫେକ୍ କଣ୍ଟେଣ୍ଟ ଉପଲବ୍ଧ ହେବା ଘଟଣାରେ ମେଟା ମୁଖ୍ୟ ମାର୍କ ଜୁକରବର୍ଗ ଭାରତ ସରକାରଙ୍କ ନିକଟରେ କ୍ଷମାପ୍ରାର୍ଥନା କରିଛନ୍ତି।ସୂତ୍ର ଅନୁଯାୟୀ, ମେଟା ପ୍ରତିନିଧିମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ କମ୍ପାନୀ ‘ଇଣ୍ଟରମିଡିଆରି’ (Intermediary) ପରିଭାଷା ଅଧୀନରେ ଆସୁନାହିଁ। କାରଣ ସୋସିଆଲ ମିଡିଆ ପ୍ଲାଟଫର୍ମ ନିଜେ ନିର୍ଦ୍ଧାରଣ କରେ କେଉଁ ଉପଭୋକ୍ତାଙ୍କ ପାଖକୁ କେଉଁ କଣ୍ଟେଣ୍ଟ ପହଞ୍ଚିବ। ତେଣୁ ସୂଚନା ପ୍ରଯୁକ୍ତି ଆଇନ (IT Act) ଅନୁଯାୟୀ ମିଳୁଥିବା ‘ସେଫ୍ ହାର୍ବର’ (Safe Harbour) ସୁରକ୍ଷା ଏହି କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ।
ସୂତ୍ର ଆହୁରି କହିଛନ୍ତି ଯେ ମେଟା ପକ୍ଷରୁ ସ୍ୱୀକାର କରାଯାଇଛି ଯେ ନିର୍ଦ୍ଦିଷ୍ଟ ପ୍ରକାରର କଣ୍ଟେଣ୍ଟକୁ ଅଧିକ ପ୍ରଚାର (Boost) କରିବା ପାଇଁ ବହୁ ପରିମାଣର ଅର୍ଥ ନିଆଯାଇଥିଲା। କମ୍ପାନୀ ଏହା ମଧ୍ୟ ମାନିଛି ଯେ ବହୁ ପରିମାଣରେ ବେଆଇନ କଣ୍ଟେଣ୍ଟ ପ୍ରମୋଟ୍ ହୋଇଥିଲା। ଏହି ପ୍ରସଙ୍ଗରେ ମେଟା ଅଧିକାରୀମାନଙ୍କୁ ପୁଣିଥରେ ଡକାଯିବ ବୋଲି ସୂତ୍ର କହିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭିଡିଓକୁ ଫେସବୁକ୍ରୁ ହଟାଇ ଦିଆଯିବା ଘଟଣାରେ ଜୁକରବର୍ଗଙ୍କୁ ୩ ଦିନ ମଧ୍ୟରେ କ୍ଷମାପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯଦି ମେଟା କ୍ଷମା ନ ମାଗେ, ତେବେ IT ଆଇନ ଅଧୀନରେ ମିଳୁଥିବା ଆଇନଗତ ସୁରକ୍ଷା ପ୍ରତ୍ୟାହାର କରାଯିବ। ଏହାଦ୍ୱାରା ମେଟା ଅଧିକାରୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇପାରିବ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।
