ପଶ୍ଚିମବଙ୍ଗ ବିଧାନସଭାର ୧୪୨ ଆସନ ପାଇଁ ଆଜି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ୯୩ପ୍ରତିଶତରୁ ଅଧିକ ରେକର୍ଡ ମତଦାନ ହୋଇଥିଲା । ଆଜି ମଧ୍ୟ ସେହି ସମାନ ଉତ୍ସାହ ଭୋଟରଙ୍କ ମଧ୍ୟରେ ଦେଖାଯାଉଛି । ପ୍ରାୟ ୩କୋଟି ୨୧ ଲକ୍ଷ ଭୋଟର ୧୪୪୮ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ । ଭୋଟରମାନେ ସକାଳୁ ସକାଳୁ ବୁଥ୍ ସମ୍ମୁଖରେ ଲମ୍ବା ଧାଡ଼ି ଲଗାଇଛନ୍ତି।ଆଜିର ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିଜ ଆସନ ଭବାନୀପୁର ଉପରେ ସମସ୍ତଙ୍କ ନଜର। ଏଠାରେ ମମତାଙ୍କ ସହ ବିରୋଧୀ ଦଳ ନେତା ତଥା ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି।୪୧ହଜାର ପୋଲିଂ ଷ୍ଟେସନରେ ସିଧାସଳଖ ୱେବକାଷ୍ଟିଂ କରାଯାଉଛି। କେବଳ କୋଲକାତାରେ ହିଁ ୨୭୩ କମ୍ପାନୀ କେନ୍ଦ୍ରୀୟ ବାହିନୀ ମୁତୟନ ହୋଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ଅପିଲ କରିଛନ୍ତି। ଏକ୍ସରେ କହିଛନ୍ତି, ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ୨୦୨୬ର ଦ୍ୱିତୀୟ ପର୍ଯ୍ୟାୟ। ଆଜି ଭୋଟ ଦେଉଥିବା ସମସ୍ତ ଲୋକଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ଏବଂ ଆମର ଗଣତନ୍ତ୍ରକୁ ଅଧିକ ଜୀବନ୍ତ ଏବଂ ଅଂଶଗ୍ରହଣକାରୀ କରିବାକୁ ଅନୁରୋଧ କରୁଛି। ବିଶେଷକରି ପଶ୍ଚିମବଙ୍ଗର ମହିଳା ଏବଂ ଯୁବକମାନେ ବହୁ ସଂଖ୍ୟାରେ ଭୋଟଦାନ କରି ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବା ଗୁରୁତ୍ୱପୂର୍ଣ୍ଣ।
