ମହାପ୍ରଭୁ ଜଗନ୍ନାଥଙ୍କ ଟାହିଆ ଖୋଲାଯିବା ନେଇ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ରାଜକୁମାର ସ୍ବାଇଁ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସୋଲରେ ତିଆରି ଟାହିଆ ପର୍ବତ ପରି ଓଜନିଆ ହୋଇଗଲା। ଏହାକୁ ଦଇତାପତିମାନେ ଉଠାଇବାରେ ସକ୍ଷମ ହୋଇ ନ ଥିଲେ। ଦୀର୍ଘ ୪୫ ମିନିଟ୍ ଧରି ଜଗନ୍ନାଥ ନ ହଲିବାରୁ ଟାହିଆ ଖୋଲା ଯାଇଥିବା ବାଡ଼ଗ୍ରାହୀ କହିଛନ୍ତି। ଆହୁରି କହିଛନ୍ତି ଯେ ସାଧାରଣତଃ ଜଣେ ଦୁଇ ଜଣ ଟାହିଆ ଉଠାଇ ମହାପ୍ରଭୁଙ୍କୁ ଲଗାଇଥାଉ । ଏଥର କିନ୍ତୁ ୭ ଜଣ ମିଶି ବି ଟାହିଆକୁ ଉଠାଇପାରିନଥିଲୁ ।ଟାହିଆ ଲାଗିହେବା ପରେ ତାହାକୁ ଭାଙ୍ଗି ନେଇଯାଇଥାନ୍ତି। ଗତ ୧୫ରୁ ୨୦ ବର୍ଷ ହେବ ଟାହିଆକୁ ସୁରକ୍ଷିତ ଭାବେ କଢ଼ାଯାଇ ରଖାଯାଉଥିଲା। ତେଣୁ ଏହା କୌଣସି ଅଘଟଣ ନୁହେଁ କି ବେଆଇନ କାମ ନୁହେଁ। ସମସ୍ତ କାର୍ଯ୍ୟ ଠିକ୍ ଭାବରେ ହୋଇଛି ବୋଲି ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି।
ରଥଯାତ୍ରା ଦିନ ବର୍ଷା ହେଉଥିଲା। ମଠରୁ ଟାହିଆକୁ ମନ୍ଦିରକୁ ନେବା ସମୟରେ ଟାହିଆ ବର୍ଷାରେ ଓଦା ହୋଇଥିଲା। ଲକ୍ଷ୍ମୀ ମନ୍ଦିରରେ ରହିବା ପରେ ପହଣ୍ଡି ସମୟରେ ଟାହିଆ ଲକ୍ଷ୍ମୀ ମନ୍ଦିରରୁ ମହାପ୍ରଭୁଙ୍କ ନିକଟକୁ ଯାଇଥିଲା। ସେଠାରେ ପାଖାପାଖି ୪୫ ମିନିଟ୍ ରହିଥିଲା। ବର୍ଷା କାରଣରୁ ଟାହିଆରେ ଲାଗିଥିବା ଫୁଲ, ତୁଳସୀ, ସୋଲ ଆଦିରେ ପାଣି ପଡ଼ି ଓଜନ ହୋଇଥିଲା। ଓଜନ ଫଳରେ ପହଣ୍ଡି ସମୟରେ ଫୁଲ, ସୋଲ, ତୁଳସୀ ଖସିଯାଇଥିଲା। ଫଳରେ ସେଥିରେ ଥିବା ବାଉଁଶପାତିଆ କାଠି ସେବକଙ୍କ ଦେହରେ ବାଜି ରକ୍ତାକ୍ତ ହେବାର ସମ୍ଭାବନା ରହିଥିଲା। ରକ୍ତ ବାହାରିଥିଲେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିଥାନ୍ତା। ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଯେପରି ବାଧା ନ ହେବ, ସେଥିପାଇଁ ସେବାୟତମାନେ ଟାହିଆକୁ କାଢ଼ି ଅନ୍ୟତ୍ର ରଖି ଦେଇଥିଲେ ବୋଲି ଟାହିଆ ପ୍ରସ୍ତୁତ କାରିଗର ସତ୍ୟନାରାୟଣ ବେହେରା କହିଛନ୍ତି।
