ମହିଳାଙ୍କ ଆତ୍ମରକ୍ଷାକୁ ନେଇ ଅଭିନେତ୍ରୀ ଦିଶା ପଟାନୀଙ୍କ ବଡ଼ ଭଉଣୀ ତଥା ଅବସରପ୍ରାପ୍ତ ଆର୍ମି ମେଜର ଖୁସବୁ ପଟାନୀଙ୍କ ଏକ ପରାମର୍ଶକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ମହିଳାମାନେ ନିଜ ସୁରକ୍ଷା ପାଇଁ CO2 ଚାଳିତ ଏୟାର ପିସ୍ତଲ ବ୍ୟବହାର କରିବା ଶିଖିବା ଉଚିତ ବୋଲି ସେ ଏକ ସୋସିଆଲ ମିଡିଆ ଭିଡିଓରେ ପରାମର୍ଶ ଦେଇଥିଲେ। ତେବେ ତାଙ୍କର ଏହି ପରାମର୍ଶକୁ ନେଇ କିଛି ପୂର୍ବତନ ସେନା ଅଧିକାରୀ ଓ ଡିଫେନ୍ସ ବିଶେଷଜ୍ଞ ଆପତ୍ତି ଉଠାଇଛନ୍ତି।ଖୁସବୁ ପଟାନୀ ଭିଡିଓରେ ଏକ .177 କ୍ୟାଲିବର CO2 ଏୟାର ପିସ୍ତଲର ରେପ୍ଲିକା ଦେଖାଇଥିଲେ ।ବିଶେଷକରି ଭିଡିଓରେ ତାଙ୍କର ଟ୍ରିଗର ଡିସିପ୍ଲିନ୍ ଏବଂ ଅସ୍ତ୍ର ଧରିବାର ଶୈଳୀ ଉପରେ ପ୍ରଶ୍ନ ଉଠିଛି । ଅବସରପ୍ରାପ୍ତ ୱିଙ୍ଗ କମାଣ୍ଡର ପୁଷ୍କଳ ବିଜୟ ଦ୍ୱିବେଦୀ କହିଛନ୍ତି, ଏପରି ଏକ ଏୟାର ପିସ୍ତଲକୁ ମହିଳାଙ୍କ ଆତ୍ମରକ୍ଷା ଅସ୍ତ୍ର ଭାବେ ପରାମର୍ଶ ଦେବା ବିପଦକୁ ଆମନ୍ତ୍ରଣ କରିପାରେ । ତାଙ୍କ ମତରେ, ଜଣେ ଅପ୍ରଶିକ୍ଷିତ ବ୍ୟକ୍ତି ଭୟ କିମ୍ବା ଆତଙ୍କରେ ଅସ୍ତ୍ର ବ୍ୟବହାର କଲେ ପରିସ୍ଥିତି ଆହୁରି ଖରାପ ହୋଇପାରେ ।ସେହିପରି ମେଜର ମାଣିକ ଏମ୍. ଜଲି ମହିଳାମାନଙ୍କୁ ଏଭଳି ଏୟାର ପିସ୍ତଲ ନେବା ପରିବର୍ତ୍ତେ ପେପର ସ୍ପ୍ରେ ଭଳି ବିକଳ୍ପ ଉପରେ ବିଚାର କରିବାକୁ କହିଛନ୍ତି । ଡିଫେନ୍ସ ଏକ୍ସପର୍ଟ ସନ୍ଦୀପ ଉନ୍ନିଥାନ ମଧ୍ୟ ଭିଡିଓରେ “Poor trigger discipline” ବୋଲି ମନ୍ତବ୍ୟ କରିଛନ୍ତି ।ଭାରତର Arms Rules, 2016 ଅନୁସାରେ ଏୟାର ଅସ୍ତ୍ରର କ୍ଷମତା ଓ ବୋର୍ ଉପରେ ନିୟମ ଲାଗୁ ହୁଏ । ୨୦ ଜୁଲ୍ରୁ ଅଧିକ ମଜଲ୍ ଏନର୍ଜି କିମ୍ବା ୦.୧୭୭ ଇଞ୍ଚରୁ ଅଧିକ ବୋର୍ ଥିବା ଏୟାର ଅସ୍ତ୍ର ପାଇଁ ଲାଇସେନ୍ସ ଆବଶ୍ୟକ ହୋଇପାରେ । ଏହାଠାରୁ କମ୍ କ୍ଷମତାର ଏୟାର ଅସ୍ତ୍ର ମଧ୍ୟ ସମ୍ପୂର୍ଣ୍ଣ ନିୟମମୁକ୍ତ ନୁହେଁ । ତେଣୁ ଏୟାର ପିସ୍ତଲକୁ ସାଧାରଣ ଖେଳନା ଭାବିବା ଠିକ୍ ନୁହେଁ । ଏହି ବିବାଦର ପୃଷ୍ଠଭୂମି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।
