ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କ ସହ ଘଟିଥିବା ଦୁର୍ବ୍ୟବହାର, ଶାରୀରିକ ଆକ୍ରମଣ, ଧମକ ଘଟଣା ଓଡ଼ିଶାରେ ମହିଳା ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ୨ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଥିବା ବେଳେ ଜଣେ ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କୁ ସର୍ବସମ୍ମୁଖରେ ଏଭଳି ଅପମାନିତ କରାଯିବା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ ବୋଲି ବିଜେଡି କହିଛି ।ବିଜେପି ସରକାରରେ ମହିଳାମାନେ ପ୍ରତିଦିନ ଲୁହ ନୁହେଁ, ବରଂ ଲହୁ ଝରାଉଛନ୍ତି । ପୀଡ଼ିତା ସରପଞ୍ଚ ଚାମେଲୀ ଓଝା ନିଜେ ବିଜେପିର ଜଣେ ସକ୍ରିୟ ସଦସ୍ୟା ହୋଇଥିବା ବେଳେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସ୍ଥାନୀୟ ବିଧାୟକ ଓ ବିଡିଓ ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ନ୍ୟାୟ ମାଗିଛନ୍ତି । ଆକ୍ରମଣ ସମୟରେ ଚାମେଲୀଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନିଆଯାଇଛି । ମୋବାଇଲରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ପ୍ରମାଣଗୁଡ଼ିକୁ ନଷ୍ଟ କରିବାକୁ ପୋଲିସ ଚେଷ୍ଟା କରୁଛି ବୋଲି ବିଜେଡି ଅଭିଯୋଗ କରିଛି । ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ମହିଳାଙ୍କୁ ପଞ୍ଚାୟତରେ ୫୦% ସଂରକ୍ଷଣ ଦେଇ ନେତୃତ୍ୱର ସୁଯୋଗ ଦେଇଥିଲେ । କିନ୍ତୁ ଆଜି ସେହି ବ୍ୟବସ୍ଥାର ଜଣେ ପ୍ରତିନିଧିଙ୍କୁ ଅପମାନିତ ସମଗ୍ର ନାରୀଜାତି ପାଇଁ ଆହ୍ୱାନ । ଘଟଣାର ତୁରନ୍ତ ଏକ ଉଚ୍ଚସ୍ତରୀୟ ତଥା ନିରପେକ୍ଷ ତଦନ୍ତ ଦାବି କରିଛି ବିଜେଡି ।
