ମୋଦୀ ରୁଷ୍‌ ଭାଷାରେ ଅନୁବାଦିତ ‘ତିରୁକ୍କୁରାଲ’ ପୁଟିନ୍‌ଙ୍କୁ ଉପହାର ଦେଲେ

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ତିନିଦିନିଆ ଭାରତ ଗସ୍ତରେ ଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବୈଠକରେ ଭାରତ-ରୁଷ ସମ୍ପର୍କର ବିଭିନ୍ନ ଦିଗ ସହ ପ୍ରମୁଖ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ତେବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କବି ତଥା ଦାର୍ଶନିକ ତିରୁଭଲ୍ଲୁରଙ୍କ ଦ୍ୱାରା ଲିଖିତ ପ୍ରସିଦ୍ଧ ତାମିଲ ଶାସ୍ତ୍ରୀୟ ପୁସ୍ତକ ‘ତିରୁକ୍କୁରାଲ’ର ଏକ ରୁଷୀୟ ଅନୁବାଦ ଉପହାର ଦେଇଛନ୍ତି।୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ମୋଦୀ ଓ ପୁଟିନଙ୍କ ସାକ୍ଷାତ ସମୟରେ ଏହି ସାହିତ୍ୟିକ ଉପହାର ପ୍ରଦାନ କରାଯାଇଥିଲା।ବୈଠକ ପୂର୍ବରୁ ମୋଦୀ ଓ ପୁଟିନ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଚଳିତ ବର୍ଷ ଏହା ଦୁଇ ନେତାଙ୍କ ଦ୍ୱିତୀୟ ସାକ୍ଷାତ। ଏହା ପୂର୍ବରୁ ଅଗଷ୍ଟ ୩୧ରେ ବିଶକେକରେ ଅନୁଷ୍ଠିତ ୨୬ତମ ଏସ୍‌ସିଓ ଶିଖର ସମ୍ମିଳନୀ ଅବସରରେ ଉଭୟ ନେତା ସାକ୍ଷାତ କରିଥିଲେ।ଦ୍ୱିପାକ୍ଷିକ ବୈଠକରେ ପ୍ରତିରକ୍ଷା ସହଯୋଗ ଏକ ପ୍ରମୁଖ ପ୍ରସଙ୍ଗ ରହିଥିବା ଜଣାପଡ଼ିଛି। ଚାଲୁଥିବା ପ୍ରତିରକ୍ଷା ପ୍ରକଳ୍ପ ସହ ଭବିଷ୍ୟତରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବଢ଼ାଇବା ନେଇ ଦୁଇ ନେତା ଆଲୋଚନା କରିଥିବା ଆଶା କରାଯାଉଛି।ପ୍ରଧାନମନ୍ତ୍ରୀ ମୋଦୀ ଓ ପୁଟିନଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା ତାହାର ବିବରଣୀ ଏପର୍ୟ୍ୟନ୍ତ ଜଣା ପଡ଼ିନାହିଁ।

ଅଧିକ ପଢନ୍ତୁ