୨୮ ଅଗଷ୍ଟ ୨୦୨୬ରେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି। ଏହି ଦିନ ରକ୍ଷାବନ୍ଧନ, ଗାୟତ୍ରୀ ଜୟନ୍ତୀ ସହ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ପଡ଼ୁଛି।ଏହା ଏକ ଗଭୀର ଆଂଶିକ ଚନ୍ଦ୍ରଗ୍ରହଣ । କିନ୍ତୁ ସବୁଠାରୁ ବଡ଼ କଥା ହେଲା, ଏହି ଗ୍ରହଣ ଭାରତରୁ ଦୃଶ୍ୟମାନ ହେବ ନାହିଁ । ଭାରତୀୟ ସମୟ ଅନୁସାରେ ଆଂଶିକ ଗ୍ରହଣ ପ୍ରାୟ ସକାଳ ୮ଟା ୦୪ରୁ ୧୧ଟା ୨୨ ପର୍ଯ୍ୟନ୍ତ ରହିବ ଏବଂ ପ୍ରାୟ ସକାଳ ୯ଟା ୪୩-୪୪ରେ ଏହା ସର୍ବାଧିକ ସ୍ଥିତିରେ ପହଞ୍ଚିବ । ସେତେବେଳେ ଭାରତରେ ଦିନ ଥିବା ସହ ଚନ୍ଦ୍ର ଦିଗନ୍ତ ତଳେ ରହିବ । ତେଣୁ ଦେଶର କୌଣସି ସ୍ଥାନରୁ ଏହି ଚନ୍ଦ୍ରଗ୍ରହଣ ଦେଖାଯିବ ନାହିଁ। ପ୍ରଚଳିତ ପଞ୍ଜିକା ମତ ଅନୁସାରେ ଯେଉଁ ଅଞ୍ଚଳରେ ଗ୍ରହଣ ଦୃଶ୍ୟମାନ ହୁଏ ନାହିଁ, ସେଠାରେ ଗ୍ରହଣର ସୂତକ କାଳ ପାଳନ କରାଯାଏ ନାହିଁ । ଏହି କାରଣରୁ ଭାରତରେ ରକ୍ଷାବନ୍ଧନ ପାଳନ ଉପରେ ଚନ୍ଦ୍ରଗ୍ରହଣର କୌଣସି ବାଧା ରହିବ ନାହିଁ ବୋଲି ପଞ୍ଜିକା ସୂତ୍ର ଗୁଡ଼ିକ କହୁଛନ୍ତି।
