ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର । ଏପ୍ରିଲ ମାସରେ ଘୋଷଣା ହେବାକୁ ଥିବା ଏସଆଇଆର ପ୍ରକ୍ରିୟା ଚଳିତ ମାସର କୌଣସି ଦିନ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇବ ।ଏସ୍ଆଇଆର୍ ଆରମ୍ଭ ପୂର୍ବରୁ ଭୋଟରଙ୍କ ମ୍ୟାପିଂ (୨୦୨୫ ଭୋଟର ତାଲିକା ସହ ୨୦୦୨ ତାଲିକା ମେଳ) ଜୋରସୋର୍ରେ ଚାଲିଛି । ମେ’ ୫ ତାରିଖ ସୁଦ୍ଧା ରାଜ୍ୟର ମୋଟ ୩ କୋଟି ୩୬ ଲକ୍ଷ ୪୬ ହଜାର ୫୭୦ ଭୋଟରଙ୍କ ମଧ୍ୟରୁ ୩ କୋଟି ୧୫ ଲକ୍ଷ ୬୧ ହଜାର ୩୫୯ ଭୋଟରଙ୍କ ମ୍ୟାପିଂ ସରିଛି । ଅର୍ଥାତ୍ ୯୩.୮% ମ୍ୟାପିଂ ସରିଛି । ହେଲେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ୮୫ ହଜାର ୨୧୧ ଭୋଟରଙ୍କ ମ୍ୟାପିଂ ହୋଇପାରିନି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବା ସିଇଓଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ୨୦ ଲକ୍ଷ ୮୫ ହଜାର ୨୧୧ ଭୋଟରଙ୍କ ଭୋଟରଙ୍କର ୨୦୦୨ ସହ ତଥ୍ୟ ମେଳ ହୋଇପାରିନାହିଁ । ଭୋଟର ତାଲିକାରେ ଯେଉଁ ଭୋଟର କିମ୍ବା ତାଙ୍କ ପରିବାର ସଦସ୍ୟଙ୍କ ବାପା, ମା’, ଜେଜେ, ଜେଜେ ମା’ ନାଁ ମିଳିନାହିଁ, ସେମାନଙ୍କର ମ୍ୟାପିଂ ହୋଇପାରିନାହିଁ ।
