ରାଜ୍ୟସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ଖାଲି ପଡ଼ିଥିବା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ତେବେ ଦେବାଶିଷ ସାମନ୍ତରାୟ ମେ’ 25 ତାରିଖରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ରାଜ୍ୟସଭା ସାଂସଦ ଭାବରେ ତାଙ୍କ କାର୍ଯ୍ୟକାଳ 3 ଏପ୍ରିଲ 2030ରେ ଶେଷ ହେବାର ଥିଲା । ଉପନିର୍ବାଚନ କରିବାକୁ ଭାରତୀୟ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ, ନିର୍ବାଚନ ପାଇଁ ବିଜ୍ଞପ୍ତି ଜୁନ୍ 1 ତାରିଖରେ ଜାରି ହେବ ଏବଂ ନାମାଙ୍କନ ଦାଖଲର ଶେଷ ତାରିଖ ଜୁନ୍ 8 ତାରିଖ । ନାମାଙ୍କନପତ୍ର ଯାଞ୍ଚ ପରଦିନ (9 ଜୁନ୍) ହେବ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଜୁନ୍ 11 ତାରିଖ ।ଆସନ ପାଇଁ ଭୋଟଗ୍ରହଣ ଜୁନ୍ ୧୮ ତାରିଖ ସକାଳ ୯ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ହେବ। ସେହି ଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣନା କରାଯିବ। ଜୁନ୍ ୨୦ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ସମାପ୍ତ କରାଯିବ ବୋଲି ଆୟୋଗ ସୂଚନା ଦେଇଛନ୍ତି।
