ରାସ୍ତା ଅତିକ୍ରମ କରୁଥିବା ବେଳେ କେନାଲକୁ ଖସିପଡ଼ିଲା ହାତୀ

କେନ୍ଦୁଝର ଚମ୍ପୁଆ ରେଞ୍ଜ ମଙ୍ଗଳପୁର ଗାଁରେ ହାତୀଟି ରାସ୍ତା ଅତିକ୍ରମ କରୁଥିବା ବେଳେ କାନପୁର କେନାଲରେ ଖସି ପଡ଼ିଥିଲା। କିଛି ସମୟର ସଂଘର୍ଷ ପରେ ହାତୀ ନିଜେ ଉଠି ପୁଣି ହାତୀପଲ ସହ ଚାଲିଯାଇଥିବା ଜଣାପଡ଼ିଛି। ବଡ଼ବିଲ ରେଞ୍ଜର ମୁର୍ଗା ଜଙ୍ଗଲରେ ଥିବା ୨୬ ଟିକିଆ ହାତୀପଲ ମଧ୍ୟରୁ ୧୦ ଟି ହାତୀ ଝାଡ଼ଖଣ୍ଡକୁ ଚାଲିଯାଇଥିବା ବେଳେ ୧୬ ଟି ହାତୀ ଚମ୍ପୁଆ ରେଞ୍ଜକୁ ପଶି ଆସିଥିଲେ। ଏହି ୧୬ଟିକିଆ ହାତୀପଲ ମିରିଗିସିଙ୍ଗା ଜଙ୍ଗଲରେ ରହି ସନ୍ଧ୍ୟାରେ ଯାମୁଦଲକ ମଧ୍ୟ ଦେଇ ମଙ୍ଗଳପୁର ଗାଁକୁ ପଶିଥିଲେ । ତେବେ ଗ୍ରାମବାସୀ ସହ ବନ ବିଭାଗ ହାତୀପଲଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ହାତୀପଲ ମଙ୍ଗଳପୁର ମଧ୍ୟ ଦେଇ ଜଡିପଦା ଯିବା ସମୟରେ ମଙ୍ଗଳପୁର ଗାଁମୁଣ୍ଡରେ ଥିବା କାନପୁର ଡ୍ୟାମ୍ କେନାଲ୍ ଅତିକ୍ରମ କରୁଥିବା ବେଳେ ଗୋଟିଏ ହାତୀ କେନାଲ ଭିତରେ ପଡିଯାଇଥିଲା । ତେବେ କିଛି ସମୟ ପରେ ଚେଷ୍ଟା କରି ହାତୀଟି କେନାଲରୁ ବାହାରି ଅନ୍ୟ ହାତୀମାନଙ୍କ ସହିତ ଜଡିପଦା ଜଙ୍ଗଲକୁ ଚାଲିଯାଇଥିବା ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ