ଛାତ୍ରର ଲଣ୍ଡା ମୁଣ୍ଡରେ ସାର୍ ବଜାଉଥିଲେ ତବଲା ବାଜା । ଛାତ୍ରର ଲଣ୍ଡା ମୁଣ୍ଡରେ ଶିକ୍ଷକ କିଭଳି ତବଲା ବଜାଉଥିଲେ । ଆଉ ଭିଡିଓ ଭାଇରାଲ୍ ହେବା ପରେ ଶିକ୍ଷକ ନିଲମ୍ବିତ ହୋଇଛନ୍ତି ।ଘଟଣାଟି ସୈଫଇ ବ୍ଲକ୍ରେ ଥିବା ବିରୌଲି ପ୍ରାଥମିକ ସ୍କୁଲର । ଅଭିଯୁକ୍ତ ଶିକ୍ଷକ ହେଲେ ଦିନେଶ କୁମାର ମାଥୁର । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ୨୭ ସେକେଣ୍ଡର କ୍ଲିପ୍ରେ ଦେଖିବାକୁ ମିଳୁଛି ଯେ, ମାଥୁର କ୍ଲାସରୁମ୍ରେ ପଡି଼ଥିବା ଚେୟାର ଉପରେ ବସିଛନ୍ତି । ତଳେ ଏକ ୭-୮ ବର୍ଷୀୟ ପିଲାକୁ ବସାଇ ତା’ର ଲଣ୍ଡା ମୁଣ୍ଡ ଉପରେ ତବଲା ବଜାଉଛନ୍ତି । ଏହି ସମୟରେ ସେ ଜୋର୍ରେ ହସୁଛନ୍ତି । ଏହା ଦେଖି ନିକଟରେ ବସିଥିବା ଅନ୍ୟ ପିଲାମାନେ ବି ହସୁଛନ୍ତି ।ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ଭିଡିଓକୁ ଶିକ୍ଷକ ନିଜେ ଫେସବୁକ୍ରେ ଅପଲୋଡ୍ କରିଥିଲେ । ପରେ ଭିଡିଓଟି ଭାଇରାଲ୍ ହେବା ସହ ଶିକ୍ଷା ବିଭାଗ ନିକଟରେ ଅଭିଯୋଗ ପହଞ୍ଚିଥିଲା । ଘଟଣାକୁ ଗୁରୁତ୍ୱର ସହ ନେଇ ମୌଳିକ ଶିକ୍ଷା ଅଧିକାରୀ ଡକ୍ଟର ରାଜେଶ କୁମାର ଶିକ୍ଷକ ଦିନେଶ କୁମାର ମାଥୁରଙ୍କୁ ନିଲମ୍ବିତ କରିଛନ୍ତି । ଏପଟେ ସୋସିଆଲ୍ ମିଡିଆରେ ଲୋକେ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । କାରଣ ବଡ଼ମାନଙ୍କ ପାଇଁ ଏହା ହୁଏତ ମଜାକ ହୋଇପାରେ, କିନ୍ତୁ ଜଣେ ଛୋଟ ପିଲା ପାଇଁ ଏହା ଅପମାନର କାରଣ ହୋଇପାରେ ।
