ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଟାଉନ ରେଳ ଷ୍ଟେସନରେ ଥିବା ଟିକେଟ ରେଳ ସଂରକ୍ଷଣ କାଉଣ୍ଟରରେ ଗତ ଦୁଇଦିନ ଧରି ଲିଙ୍କ ଫେଲ ଯୋଗୁଁ ଶହ ଶହ ରେଳଯାତ୍ରୀ ଦୂରଯାତ୍ରା ପାଇଁ ଟିକେଟ କରି ନପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଗତ କାଲି ଦିନ ୧୧:୧୦ରୁ ଆଜି ସକାଳ ୧୦:୪୦ ପର୍ଯ୍ୟନ୍ତ ରେଳ ଷ୍ଟେସନ ସଂରକ୍ଷଣ ଟିକେଟ କାଉଣ୍ଟରରେ ଲିଙ୍କ ନଥିଲା। ଫଳରେ ଗତ ଦୁଇଦିନ ଧରି ଦୂର ଦୂରାନ୍ତକୁ ରେଳଯାତ୍ରାରେ ଯିବାକୁ ଥିବା ଯାତ୍ରୀ ମାନେ ସଂରକ୍ଷଣ ଟିକେଟ ପାଇବାରୁ ବଞ୍ଚିତ ହୋଇଥିଲେ। ସେହିପରି  ଜରୁରୀ କାଳୀନ ପରିସ୍ଥିତି ପାଇଁ ମିଳୁଥିବା ତତ୍କାଳ ଟିକେଟ ପାଇଁ ମଧ୍ୟ ଯାତ୍ରୀମାନେ ସକାଳ ପାହାନ୍ତାରୁ ଲମ୍ବା ଲାଇନ ଲଗାଇ ଛିଡ଼ା ହୋଇଥିଲେ ମଧ୍ୟ ଟିକେଟ ନପାଇ ନିରାଶରେ ଫେରିଥିଲେ । ଏପରି ଅସୁବିଧା ବାରମ୍ବାର ହେଉଥିବାରୁ ଏହାକୁ ନେଇ ଯାତ୍ରୀ ମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏ ନେଇ ଡିଉଟିରେ ଥିବା ଷ୍ଟେସନ ମ୍ୟାନେଜର ପ୍ରଦୀପ କୁମାର ବରାଡ଼ଙ୍କୁ ଯୋଗାଯୋଗ କରିବାରେ ସେ ତୁରନ୍ତ ଲିଙ୍କ ନଥିବା ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଥିବା ପ୍ରକାଶ କରିଥିଲେ। ତେବେ ବିଭାଗ ପକ୍ଷରୁ ତୁରନ୍ତ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଫଳରେ ପ୍ରାୟ ଦୀର୍ଘ ୨୪ ଘଣ୍ଟା ପରେ ଆଜି ସକାଳ ୧୦:୪୦ରେ ଲିଙ୍କ ଆସିଥିଲା। ଏହି ସମୟରେ ତତ୍କାଳ ଟିକେଟ ପାଇଁ ଅପେକ୍ଷା କରିଥିବା ଯାତ୍ରୀମାନେ ଟିକେଟ କରି ନପାରି ନିରାଶରେ ଫେରିଥିଲେ। ଅନ୍ୟ ପକ୍ଷରେ ଟିକେଟ ସରଂକ୍ଷଣ ଗୃହରେ ଏସି ନଥିବାରୁ ଅଧିକାଂଶ ସମୟରେ ଏଠାରେ ଥିବା କମ୍ପୁଟର ଗୁଡ଼ିକ ହ୍ୟାଙ୍ଗ ହେଉଥିବା ଜଣା ପଡିଛି। ଫଳରେ ବିଭିନ୍ନ ସମୟରେ ସରଂକ୍ଷଣ ଟିକେଟ ପାଇବାରେ ଅସୁବିଧା ସୃଷ୍ଟି ହେଉଛି।ଏଠାରେ ଏସି ଲଗାଇବା ପାଇଁ ଷ୍ଟେସନ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ସତ୍ୱେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଟିକେଟ କାଉଣ୍ଟରରେ ବାରମ୍ବାର ଏପରି ଅବ୍ୟବସ୍ଥା ହେଉଥିବା ନେଇ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଥିବା ବେଳେ ତୁରନ୍ତ ଏହାର ସମାଧାନ କରିବା ପାଇଁ ରେଳ ବିଭାଗ ନିକଟରେ ଦାବି କରିଛି।

ଅଧିକ ପଢନ୍ତୁ