ରାଜ୍ୟରେ ପୋଲିସ୍ ପ୍ରଶାସନର ବର୍ବରତା ସବୁ ସୀମା ଟପିସାରିଲାଣି । ଥାନା ଭିତରେ ଥାର୍ଡଡିଗ୍ରୀ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଘଟୁଥିବା ହିଂସା ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ବିଫଳ ପୋଲିସ୍ ପ୍ରଶାସନ ଅମାନୁଷିକ ଭାବେ ସାଧାରଣ ଲୋକଙ୍କ ଉପରେ ଥାର୍ଡଡିଗ୍ରୀ କରିବା ଅତ୍ୟନ୍ତ ନିନ୍ଦନୀୟ କହି ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ, ପୋଲିସ୍ ପ୍ରଶାସନ ଓଡ଼ିଶାର ନିରୀହ ଜନସାଧାରଣଙ୍କ ଉପରେ ବର୍ବରୋଚିତ ଭାବେ ଥାନା ଭିତରେ ଯେଉଁ ଥାର୍ଡଡିଗ୍ରୀ କରୁଛି, ତାହା ସମସ୍ତଙ୍କୁ ବିଚଳିତ କରିଦେଇଛି ବୋଲି କହିଥିଲେ ।ଡ଼ ଲେନିନ ମହାନ୍ତି କହିଥିଲେ, ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ବରତା ଓ ହିଂସାକାଣ୍ଡ ବଢ଼ିଚାଲିଥିବା ବେଳେ ପୋଲିସ୍ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛି । ପୋଲିସ୍ ମହାନିଦେ୍ର୍ଦଶକ ଗତ ୧୦ ଦିନ ଭିତରେ ଦୁଇ ଥର କହିସାରିଲେଣି, ଓଡ଼ିଶାରେ ଅପରାଧୀମାନଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ । ଏହାସତ୍ତ୍ୱେ ଅପରାଧୀମାନେ ପୋଲିସ୍ ଡିଜିଙ୍କ କଥାକୁ ବେଖାତିର କରି ଅପରାଧ ଘଟାଇ ଚାଲିଛନ୍ତି । ଅପରପକ୍ଷରେ ପୋଲିସ୍ ଅପରାଧ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ବେଳେ ସାଧାରଣ ଲୋକଙ୍କୁ ଥାନାକୁ ଡକାଇ ଅକଥନୀୟ ନିର୍ଯାତନା ଦେଉଛି । ତେବେ ଇପ୍ସୀତା ସାହୁ କହିଥିଲେ, ଓଡ଼ିଶାରେ ବିଜେପି ସରକାର ୨ ବର୍ଷ ପୂର୍ତ୍ତୀ ପାଳନ କରିବାକୁ ଯାଉଥିବା ବେଳେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନ କହିଲେ ଭଲ । ସମଗ୍ର ରାଜ୍ୟରେ ଭିଡ଼ହିଂସା ଠାରୁ ଆରମ୍ଭ କରି ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଯେଭଳି ଜଘନ୍ୟ କାଣ୍ଡ ଦେଖିବାକୁ ମିଳୁଛି, ତାହା ଆଗରୁ କେବେ ଘଟିନଥିଲା । ଗଲା ୨ ବର୍ଷ ଭିତରେ ପୋଲିସ୍ ସାଧାରଣ ଲୋକଙ୍କୁ ଥାନାରେ ବିନା କାରଣରେ ନିର୍ଯାତନା ଦେବା ସହ ପିଟି ପିଟି ମାରିଦେବା ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ବିଚଳିତ କରିଛି ଏବଂ ବିଜେପି ସରକାରର ଅପାରଗତାକୁ ପଦାରେ ପକାଇଛି ।
