ଠିପି ବନ୍ଦ ମଦ ଦୋକାନ ଓ ସହର ଗଳିରେ ମଦ୍ୟପାନ ବନ୍ଦ ହେବ-ଏସପି୧୦ ଦିନ ମଧ୍ୟରେ ହେବ କଡ଼ା ପଦକ୍ଷେପ, ସୁରକ୍ଷିତ ମଣିବେ ମହିଳା

ରାୟଗଡ଼ା,୧/୬(ପିଏନଏସ)- ରାୟଗଡ଼ା ଜିଲାରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଏସପି ରାଜପ୍ରସାଦଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଛନ୍ତି ପ୍ରେସ କ୍ଲବ ସଦସ୍ୟମାନେ । ପ୍ରେସ କ୍ଲବ ସଭାପତି ସଂଗ୍ରାମ କେଶର ପଟନାୟକ ଓ ସମ୍ପାଦକ ୱାଇ.ଦାମୋଦରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଏସପି ରାଜପ୍ରସାଦ ଜିଲାର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଥିଲୋ ଆଲୋଚନା ବେଳେ ଜିଲାରେ ମହିଳାମାନେ କିଭଳି ସୁରକ୍ଷିତ ରହିବେ ସେହି ଉପରେ ତଥ୍ୟ ସଂଗ୍ରହ କରିଥିଲେ । ସହରର କ୍ରାଇମ ରୂପରେଖ ଉପରେ ସାମ୍ବାଦିକଙ୍କ ଠାରୁ ବୁଝିଥିଲେ । ଆଲୋଚନା ବେଳେ କହିଥିଲେ ଯେ, ଏଣିକି ଠିପି ବନ୍ଦ ବିଦେଶୀ ମଦ ଦୋକାନ ସମ୍ମୁଖରେ ଆଉ କେହି ମଦ୍ୟପାନ କରିପାରିବେ ନାହିଁ । ଯଦି କରନ୍ତି ତେବେ ମଦ୍ୟପାନ କରୁଥିବା ବ୍ୟକ୍ତି ଏବଂ ଦୋକାନ ଉଭୟଙ୍କ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏଭଳିକି ସହରର ଗଳିକନ୍ଦିରେ ମଧ୍ୟ ଖୋଲାଖୋଲି ମଦ୍ୟପାନ ନକରିବାକୁ ଚେତାବନୀ ଦେଇଛନ୍ତି ଏସପି ରାଜପ୍ରସାଦ । ବିଶେଷ କରି ମଝିଘରିଆଣି ମନ୍ଦିର ନିକଟରେ, ବିଦ୍ୟା ନଗର ଗଳିରେ ମଦ୍ୟପାନକୁ ସମ୍ପୂର୍ଣ୍ଣ ରୋକାଯିବ ବୋଲି କହିଛନ୍ତି । ମହିଳା କିଭଳି ସୁରକ୍ଷିତ ଭାବେ ସହରରେ ଯାତାୟତ କରିପାରିବେ ସେଥିପ୍ରତି ପୋଲିସ ପଦକ୍ଷେପ ନେବ ବୋଲି କହିଛନ୍ତି ଏସପି । ସେହିଭଳି ବେଆଇନ ଭାବେ ମୋଟରସାଇକେଲ ଚଲାଇବା, ନମ୍ବର ପ୍ଲେଟ ବିହିନ ଗାଡ଼ି ଚଲାଇବା ଏବଂ ମୋଟରସାଇକେଲ ରେସିଂ କରୁଥିବା ଯୁବପିଢ଼ିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ରାୟଗଡ଼ା ସଦର ମହକୁମାରେ ଚାଲିଥିବା ଦେହ ବ୍ୟବସାୟ ଉପରେ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସପି ରାଜପ୍ରସାଦ । ଏହାବ୍ୟତିତ ରାୟଗଡ଼ା ସହରରେ ଜନସଂଖ୍ୟା ବୃଦ୍ଧି କାରଣରୁ ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ରାଣୀଗୁଡ଼ା ଏବଂ ସାଇପ୍ରିୟା ନଗରରେ ଆଉଟପୋଷ୍ଟ ଖୋଲିବା ନେଇ ପ୍ରେସ କ୍ଲବ ପକ୍ଷରୁ ଅନୁରୋଧ କରାଯାଇଥିଲା । ରାୟଗଡ଼ା ସହରରେ ୧୦ ଦିନ ମଧ୍ୟରେ ମହିଳା ନିଜକୁ ସୁରକ୍ଷିତ ଅନୁଭବ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ଏସପି ।

ଅଧିକ ପଢନ୍ତୁ