ଡାକ୍ତର ରୂପଭାନୁ ମିଶ୍ର, ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି (ଓସାକ୍ସ)ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ଏହି ପଦବୀ ସହ ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।ଡାକ୍ତର ରୂପଭାନୁ ମିଶ୍ର ଦୀର୍ଘ ବର୍ଷ ଧରି ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଦାୟିତ୍ୱ ସଫଳତାର ସହ ନିର୍ବାହ କରିଆସୁଛନ୍ତି।ଓସାକ୍ସ କାର୍ଯ୍ୟାଳୟରେ ଆଜି ଦାୟିତ୍ୱ ଗ୍ରହଣ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ, ସଫଳତା, ଆହ୍ବାନ ଏବଂ ଭବିଷ୍ୟତ ରଣନୀତି ସମ୍ପର୍କରେ ଏକ ସଂକ୍ଷିପ୍ତ ଉପସ୍ଥାପନା କରାଯାଇଥିଲା। ସେ କହିଥିଲେ ଯେ, “ଏଚ୍.ଆଇ.ଭି./ ଏଡସ୍ ନିୟନ୍ତ୍ରଣ କେବଳ ଏକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଏକ ସାମାଜିକ ଆନ୍ଦୋଳନ। ସଚେତନତା, ସମୟୋପଯୋଗୀ ପରୀକ୍ଷା, ଗୁଣାତ୍ମକ ଚିକିତ୍ସା ଏବଂ ସମାଜରେ ଭେଦଭାବ ଦୂରୀକରଣ ମାଧ୍ୟମରେ ଆମେ ୨୦୩୦ ସୁଦ୍ଧା ଏଡସ୍ ର ଅବସାନ ଲକ୍ଷ୍ୟ ହାସଲ କରିପାରିବା। ଏଥିପାଇଁ ସରକାରୀ ବିଭାଗ, ସମୁଦାୟ ଭିତ୍ତିକ ସଂଗଠନ, ଯୁବବର୍ଗ ଏବଂ ସାଧାରଣ ଜନତାଙ୍କ ସମନ୍ୱିତ ସହଭାଗିତା ଅତ୍ୟନ୍ତ ଆବଶ୍ୟକ।”
