ବିଧାନ ସଭାର ଶୀତ ଅଧିବେଶନ ପୂର୍ବରୁ ଆଜି ସନ୍ଧ୍ୟାରେ ଶଙ୍ଖ ଭବନଠାରେ ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବିଜେଡି ବିଧାୟକ ମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ପଟ୍ଟନାୟକ ଡବଲ ଇଞ୍ଜିନ ସରକାରର ଅପାରଗତାର ତୀବ୍ର ସମାଲୋଚନା କରିଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ, ସଂପ୍ରତି ଗଞ୍ଜାମର ମନୁଷ୍ୟକୃତ ବନ୍ୟା ଓଡିଶାର ଛବିକୁ ଦେଶ ବିଦେଶରେ ମଳିନ କରିଛି । ଗଞ୍ଜାମରେ ଘଟିଯାଇଥିବା ବିପର୍ଯୟ ରାଜ୍ୟ ସରକାରଙ୍କ ଅପାରଗତାର ସର୍ବୋତ୍କୃଷ୍ଟ ଉଦାହରଣ । ଗଞ୍ଜାମର ଜନସାଧାରଣ ଏବେ ବି ରିଲିଫ ସହାୟତା ପାଇବାରେ ହଇରାଣ ହେଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ। । କୋଟିଆ ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଉଭୟ ଆନ୍ଧ୍ର ଓ ଓଡିଶାରେ NDA ର ସରକାର ଥିବା ବେଳେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଘଟଣାକୁ ଜଟିଳ କରି ଦେଉଛି । ଓଡିଶାର ଅଖଣ୍ଡତାର ସୁରକ୍ଷା ପାଇଁ ବିଜେଡି ତାର ଲଢେଇ ଜାରୀ ରଖିବ ।
ଚାଷୀଙ୍କ ସମସ୍ୟା ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଡବଲ ଇଞ୍ଜିନ ସରକାର ଦାୟୀତ୍ୱ ନେବା ଠାରୁ ଚାଷ ଓ ଚାଷୀ ଉଭୟ ଅବହେଳିତ ହୋଇ ଆସୁଛନ୍ତି । ମଣ୍ଡି ଠିକ୍ ସମୟରେ ଖୋଲୁନି । ଧାନ ସଂଗ୍ରହ କାର୍ଯ୍ୟକ୍ରମ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । Food Corporation of India ଓଡିଶାରୁ ଧାନ ଉଠାଉ ନାହିଁ । ଏ ସବୁ ସମସ୍ୟା ଦ୍ୱାରା ଚାଷୀର ସମସ୍ୟା ଦିନକୁ ଦିନ ଜଟିଳ ହୋଇଯାଉଛି । ତେଣୁ ବିଜେଡି ଚାଷୀର କଲ୍ୟାଣ ପାଇଁ ସବୁ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ ।
