ଶିକ୍ଷକଙ୍କୁ ମାଡ଼ ଓ ଗାଳିଗୁଲଜ କରିବା ପଡ଼ିଲା ମହଙ୍ଗା। ଉଠାଇଲା ପୋଲିସ୍। ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଘଟଣା ପରେ ଆକ୍ସନ୍ ମୁଡକୁ ଆସିଛି ସତ୍ୟବାଦୀ ପୋଲିସ୍। ଅଭିଯୁକ୍ତ ଜଣକ ହେଉଛନ୍ତି ସୁକଳ ଗ୍ରାମର ଅଂଶୁମାନ ବିଶ୍ୱାଳ। ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ବିଦ୍ୟାଳୟର ଖେଳ ଶିକ୍ଷକ ସୁରେଶ ସ୍ୱାଇଁ ନିଜ କାର୍ଯ୍ୟ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ଅଂଶୁମାନ ବିଶ୍ୱାଳ ଅଭିଯୋଗ କରିଥିଲେ ଯେ ଶିକ୍ଷକ ଜଣକ ତାଙ୍କ ପୁଅକୁ ମାଡ଼ ମାରିଥିଲେ। ଏହି ଘଟଣାକୁ ନେଇ ଉତକ୍ଷିପ୍ତ ହୋଇ ଅଂଶୁମାନ ସ୍କୁଲ ପରିସରରେ ବେଆଇନ ଭାବେ ପ୍ରବେଶ କରିବା ସହ ଅନ୍ୟ ଶିକ୍ଷକ ଓ କର୍ମଚାରୀଙ୍କ ଉପସ୍ଥିତିରେ ଖେଳ ଶିକ୍ଷକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ସେ ଶିକ୍ଷକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ବିଦ୍ୟାଳୟର ଶିକ୍ଷାଦାନ ପରିବେଶରେ ବ୍ୟାଘାତ ସୃଷ୍ଟି କରିଥିଲେ। ଏହି ଭିଡିଓ ଭାଇରାଲ୍ ହୋଇଥିଲା। ଥାନାରେ ଏତଲା ଦେବା ପରେ ପୋଲିସ୍ ଅଭିଯୁକ୍ତ ଅଂଶୁମାନକୁ ଅଟକ ରଖିଛି।
