ସମ୍ବଲପୁର ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟରେ ଲାଞ୍ଚ କାରବାର। ଯୁବକଙ୍କୁ ଜାତିଆଣ ଆକ୍ଷେପ ମାମଲାରେ ମିଳୁଥିବା ସହାୟତା ରାଶିରୁ ଅର୍ଥ(ଲାଞ୍ଚ) ଦାବି କରୁଥିଲେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କିରାଣୀ । ୭୫ ହଜାର ଟଙ୍କାର ସହାୟତା ପାଇଁ ୨୦ ହଜାର ଟଙ୍କା । କିନ୍ତୁ ସହାୟତା ରାଶି ଅଧିକ ଥିବାରୁ ଅଧିକ ଅର୍ଥ ବି ଦାବି କରୁଥିଲେ । ତୁରନ୍ତ ଟଙ୍କା ଦିଅ, ନେହେଲ ବଦଳି ହୋଇଗଲେ ଆଉ କେହି କରିବେନି । ଏମିତି ଧମକ ମଧ୍ୟ ମିଳିଥିଲା । ପରେ ବାଧ୍ୟ ହୋଇ ସେମାନେ ଟଙ୍କା ଦେଇଥିଲେ । ଯାହାର ଅଡିଓ ଓ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।କେବଳ ଏତିକି ନୁହେଁ, କାମ ହେବା ପୂର୍ବରୁ ଟଙ୍କା ଦେବାକୁ ପଡ଼ିବ, କାମ ସରିଯିବା ପରେ ଲୋକମାନେ ଟଙ୍କା ଦେଉ ନାହାନ୍ତି। ଏହି ଟଙ୍କା ଅନ୍ୟାନ୍ୟ ଅଧିକାରୀଙ୍କ ମଧ୍ୟରେ ଭାଗବଣ୍ଟା ହୋଇଥାଏ ବୋଲି ମଧ୍ୟ ସଞ୍ଜୁକ୍ତା କହୁଛନ୍ତି। ସୂଚନା ଅନୁସାରେ, ଗତ କିଛି ଦିନ ପୂର୍ବରୁ ପରମାଣପୁର ଅଞ୍ଚଳର ୩ ଜଣ ଯୁବକ ଜାତିଆଣ ଆକ୍ଷେପ ଅଭିଯୋଗ ଆଣିଥିଲେ । ଏଥିପାଇଁ ତାଙ୍କୁ କିଛି ସହାୟତା ରାଶି ମିଳିବାର ଥିଲା । କିନ୍ତୁ ଏହାକୁ ପାସ୍ କରିବାକୁ କିଛି ଅର୍ଥ ଦାବି କରିଥିଲେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳର କିରାଣୀ ସଂଯୁକ୍ତା ଭୋଇ । ଭାଇରାଲ୍ ହେଉଥିବା ଭିଡିଓରେ ସଂଯୁକ୍ତା କହିଛନ୍ତି, କୌଣସି ମାମଲାରେ ୭୫ ହଜାର ଟଙ୍କା ସହାୟତା ମିଳିଲେ ୨୦ ହଜାର ଟଙ୍କା ନିଆଯାଉଛି । ୧.୫ ଲକ୍ଷ ଟଙ୍କା ମିଳିଲେ ୪୦ ହଜାର ଟଙ୍କା ନିଆଯାଉଛି । ସେହି ଆଧାରରେ ସହାୟତା ରାଶି ବୃଦ୍ଧି ପାଇଲେ ପିସି ଟଙ୍କା ବି ବଢ଼ିବ । କାରଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କିଛି ଜଣଙ୍କୁ ଏହି ଅର୍ଥରୁ ଦିଆଯାଉଛି ।ସେପଟେ ଘଟଣା ସମ୍ପର୍କରେ କିଛି ଜାଣିନି, ମୋତେ ଫସେଇବାକୁ ଚକ୍ରାନ୍ତ କରାଯାଇଛି ବୋଲି ସଂଯୁକ୍ତା ଭୋଇ ସଫେଇ ଦେଇଛନ୍ତି। ତଦନ୍ତ ସରିବା ପରେ ଏବେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି । ଜିଲ୍ଲାପାଳ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ।
