ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଏଣିକି ସରକାରୀ ଜମିରେ ବେଆଇନ ଗଞ୍ଜେଇ ଚାଷରେ ଲାଗିବ ସମ୍ପୂର୍ଣ୍ଣ ରୋକ୍। ଗଞ୍ଜେଇ ଚାଷ ରୋକିବାକୁ ପ୍ରଶାସନ ପକ୍ଷରୁ ନିରନ୍ତର ଓ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି ଏହି ୬ଟି ଜିଲ୍ଲାରେ ବିଶେଷ ନଜର ରଖିବାକୁ କ୍ଷେତ୍ରସ୍ତରୀୟ ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୫-୨୬ ଫସଲ ଋତୁରେ ଚାଲିଥିବା ଗଞ୍ଜେଇ ନଷ୍ଟ ଅଭିଯାନ ସମୟରେ ଓଡ଼ିଶା ପୋଲିସ୍ ପକ୍ଷରୁ ଉପରୋକ୍ତ ୬ଟି ଚିହ୍ନଟ ଜିଲ୍ଲାର ୪୧ଟି ଥାନା ଅଧୀନରେ ମୋଟ ୩୬,୫୦୮.୭୯୨ ଏକର ଅଞ୍ଚଳରେ ଥିବା ୧,୬୩୧ଟି GPS-ମ୍ୟାପ୍‌ଡ୍ ଜମି ଖଣ୍ଡରେ ଅବୈଧ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଏଥିମଧ୍ୟରୁ ୬,୬୩୨.୧୯୭ ଏକର ଜମି ସରକାରୀ ରାଜସ୍ୱ ଜମି ବୋଲି ଚିହ୍ନଟ ହୋଇଛି ।ପୂର୍ବରୁ ଚାଷ ନଷ୍ଟ କରାଯାଇଥିବା ଅଞ୍ଚଳରେ ପୁଣିଥରେ ଗଞ୍ଜେଇ ଚାଷ ହେବାର ଆଶଙ୍କା ରହିଛି। ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ସମାନ ସରକାରୀ ଜମିକୁ ପ୍ରତିବର୍ଷ ଚାଷ ପାଇଁ ବ୍ୟବହାର କରାଯାଉଥିବାରୁ ଏହି ସ୍ଥାନଗୁଡ଼ିକରେ ନିରନ୍ତର ନଜର ରଖାଯିବ। ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ତହସିଲଦାର, ଅତିରିକ୍ତ ତହସିଲଦାର,ରାଜସ୍ୱ ନିରୀକ୍ଷକ (RI) ଓ ରାଜସ୍ୱ ସୁପରଭାଇଜରମାନଙ୍କୁ ସମନ୍ଵିତ ପଦକ୍ଷେପ ନେବାକୁ କୁହାଯାଇଛି l Narcotic Drugs and Psychotropic Substances (NDPS) Act,୧୯୮୫ର ଧାରା ୪୭ ଅନୁଯାୟୀ ଆବଶ୍ୟକ ଆଇନଗତ ପଦକ୍ଷେପ ପାଇଁ ତୁରନ୍ତ ଅବଗତ କରାଇବା ସହ ଜିଲ୍ଲାସ୍ତରରେ ଏକ ଉପଯୁକ୍ତ ଆଭ୍ୟନ୍ତରୀଣ ରିପୋର୍ଟିଂ ବ୍ୟବସ୍ଥା ଅବସ୍ଥାପିତ କରି ଅବୈଧ ଚାଷ ସମ୍ପର୍କିତ ସୂଚନା ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ବିଳମ୍ବ ନକରି ତୁରନ୍ତ ପହଞ୍ଚାଇବା ନିମନ୍ତେ ବ୍ୟବସ୍ଥା କରିବାକୁ ରାଜସ୍ୱ ସଚିବ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଅବୈଧ ଗଞ୍ଜେଇ ଚାଷ ରୋକିବା ପାଇଁ ସ୍ଥାନୀୟ ପୋଲିସ୍ ପ୍ରଶାସନ ସହ ସମନ୍ୱୟ ରଖିବା ଏବଂ ନିର୍ଦ୍ଦେଶଗୁଡ଼ିକର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବାକୁ କୁହାଯାଇଛି । ସେହିପରି ଗଞ୍ଜେଇ ଚାଷରେ ଲିପ୍ତ କୌଣସି ମାଫିଆ ବ୍ୟକ୍ତିବିଶେଷଙ୍କୁ କୌଣସି ରାଜସ୍ୱ ଅଧିକାରୀ ସହଯୋଗ କରୁଥିବାର ସୂଚନା ମିଳିଲେ ତୁରନ୍ତ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜସ୍ୱ ସଚିବ ଡ. ଅରବିନ୍ଦ ପାଢ଼ୀ ଦୃଢ଼ ନିର୍ଦ୍ଦେଶ ଜାରି କରିଛନ୍ତି ।

ଅଧିକ ପଢନ୍ତୁ