ସରିଲା ୩ ଦିନିଆ ଓଡ଼ିଶା ଗସ୍ତ, ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ତିନି ଦିନିଆ ଓଡ଼ିଶା ଗସ୍ତ ସାରି ଫେରିଯାଇଛନ୍ତି। ତାଙ୍କ ଗସ୍ତ କାଳରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ଯାତ୍ରା କରିବା ପୂର୍ବରୁ ରାଷ୍ଟ୍ରପତି ଗଞ୍ଜାମ ଜିଲ୍ଲାର ଏକ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନରେ ଆଜି ସକାଳୁ ଆର୍ମି ଏୟାର ଡିଫେନ୍ସ କଲେଜରୁ ବାହାରି ପ୍ରାୟ ଏକ କିଲୋମିଟର ଚାଲି ଚାଲି ଧବଳେଶ୍ୱର ମନ୍ଦିରରେ ପହଞ୍ଚିଥିଲେ। ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୫ ମିନିଟ୍ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପରିକ୍ରମା ବି କରିଥିଲେ। ନିଜେ ମନ୍ତ୍ର ଉଚ୍ଚାରଣ କରି ପୂଜା କରିଥିଲେ ରାଷ୍ଟ୍ରପତି। ପୁଣି ଥରେ ଏହି ମନ୍ଦିରକୁ ଆସିବା ପାଇଁ ପୂଜକଙ୍କୁ ରାଷ୍ଟ୍ରପତି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ପୂଜକ।ଏହା ପୂର୍ବରୁ ଗତକାଲି ଦ୍ବିତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତପ୍ତପାଣି ଯାଇ ମା’ କନ୍ଧୁଣୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।ରାଷ୍ଟ୍ରପତିଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ନିଆରା ଅନୁଭୂତି ଦେଇଛି ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ।ରାଷ୍ଟ୍ରପତିଙ୍କ ସ୍ପେଶାଲ ଟ୍ରେନ୍ ଚଳାଇବା ଥିଲା ନିଆରା ଅନୁଭୂତି। ପୁରା ଦାୟିତ୍ବ ସହ ସ୍ଵତନ୍ତ୍ର ଟ୍ରେନକୁ ସୁରକ୍ଷିତ ଭାବେ ଭୁବନେଶ୍ୱରରୁ ବ୍ରହ୍ମପୁର ଏବଂ ବ୍ରହ୍ମପୁରରୁ ଭୁବନେଶ୍ୱରରୁ ଯିବା ଆସିବ ଦାୟିତ୍ବ ନେଇଥିଲେ ପୂର୍ବତଟ ରେଳବାଇର ସିନିୟର ଲୋକୋ ପାଇଲଟ୍ ଜୟନ୍ତ ସାହୁ।ବିଶେଷ ଭାବେ ଚିଲିକା କୂଳଦେଇ ରାଷ୍ଟ୍ରପତି ଟ୍ରେନ୍ ରେ ଯିବା ବେଳେ ଗତି ଟିକେ କମି ଯାଉଥିଲା। ଚିଲିକାର ଶୋଭାରାଜି ଉପଭୋଗ କରିବା ସୁଯୋଗ ପାଇଁ ଟ୍ରେନ୍ ର ଗତି ଚିଲିକା କୂଳରେ କମ୍ କରିବାକୁ ନିର୍ଦ୍ଦେଶ ଥିଲା। ମହାମହିମଙ୍କ ଟ୍ରେନ୍ ଚଳାଇ ସେ ଭାଗ୍ୟବାନ ଓ ଦାୟିତ୍ବ ନିର୍ବାହ କରିଛି ବୋଲି କହିଛନ୍ତି ଲୋକୋ ପାଇଲଟ୍ ଜୟନ୍ତ ସାହୁ।

ଅଧିକ ପଢନ୍ତୁ