ସୁଡାନରେ ସୁନା ଖଣି ଧସି ୬୦ ମୃତ, ଅନେକ ନିଖୋଜ

ସୁଦାନର ପଶ୍ଚିମ କୋର୍ଡୋଫାନ୍ ସ୍ଥିତ ଅଲ-ନୁହୁଦ୍ ସହରରେ ଗୋଟିଏ ସୁନା ଖଣି ଧସିଯିବା ଫଳରେ ଅତିକମରେ ୬୦ ଜଣଙ୍କର ମୃତ୍ୟୁ ଘଟିଛି । ଧ୍ୱଂସାବଶେଷ ତଳେ ଅନେକ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ।ଗତ ରବିବାର ଏହି ଖଣି ଧସିଥିବା ବେଳେ ବୁଧବାର ସୁଦ୍ଧା ୬୦ଟି ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି । ରିପୋର୍ଟ ଅନୁସାରେ, ତିନିଜଣ ସ୍ଥାନୀୟ ସୂତ୍ର ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଉଦ୍ଧାରକାର୍ଯ୍ୟ ଜାରି ରହିଥିବାରୁ ଖଣି ଭିତରେ ଆହୁରି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।ସୁଡାନ ଆଫ୍ରିକାର ପ୍ରମୁଖ ସୁନା ଉତ୍ପାଦନକାରୀ ଦେଶ ମଧ୍ୟରୁ ଅନ୍ୟତମ । ଦେଶରେ ସୁନାର ଏକ ବଡ଼ ଅଂଶ ପାରମ୍ପରିକ ଓ ଅନିୟମିତ ଖଣି ମାଧ୍ୟମରେ ଉତ୍ତୋଳନ କରାଯାଏ । ଅନେକ ଖଣିରେ ଆଧୁନିକ ସୁରକ୍ଷା ବ୍ୟବସ୍ଥା, ଉପକରଣ ଓ ଉଦ୍ଧାର ପ୍ରଣାଳୀର ଅଭାବ ଥିବାରୁ ଏଭଳି ଦୁର୍ଘଟଣାର ଆଶଙ୍କା ଅଧିକ ରହିଥାଏ । ସୁନାର ଏକ ଅଂଶ ଅବୈଧ ଭାବେ ବିକ୍ରି ଓ ଚୋରାଚାଲାଣ ହେଉଥିବା ନେଇ ମଧ୍ୟ ରିପୋର୍ଟ ରହିଛି । ୨୦୨୩ ଏପ୍ରିଲରେ ସୁଦାନ ସେନା ଏବଂ ଆରଏସଏଫ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ, ଉଭୟ ପକ୍ଷର ଯୁଦ୍ଧ ଖର୍ଚ୍ଚ ମୁଖ୍ୟତଃ ଏହି ସୁନା ଶିଳ୍ପ ଏବଂ ବୈଦେଶିକ ସମର୍ଥକଙ୍କ ଦ୍ୱାରା ପରିଚାଳିତ ହେଉଛି । ଆରଏସଏଫ ନିୟନ୍ତ୍ରଣରେ ଥିବା ପଶ୍ଚିମ କୋର୍ଡୋଫାନ୍, ଏହି ବାହିନୀ ପାଇଁ ସୁନା ଖନନ ଜରିଆରେ ଆୟର ଏକ ପ୍ରମୁଖ ଉତ୍ସ ପାଲଟିଛି ।

ଏହି ସଂଘର୍ଷ ସୁଦାନର ଦୁର୍ବଳ ଅର୍ଥବ୍ୟବସ୍ଥାକୁ ଧ୍ୱଂସ କରିଦେଇଛି ଏବଂ ଅନେକ ଲୋକଙ୍କୁ ଜୀବିକା ଛଡେଇ ନେଇଛି । ଫଳରେ ଅନେକ ଲୋକ ବାଧ୍ୟ ହୋଇ ଏହି ବିପଜ୍ଜନକ ସୁନା ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । ଯୁଦ୍ଧ ଯୋଗୁଁ ପ୍ରାୟ ୨ କୋଟି ସୁଦାନୀ ନାଗରିକ ଗମ୍ଭୀର ଖାଦ୍ୟ ସଂକଟ ସମ୍ମୁଖୀନ ହୋଇଛନ୍ତି । ପୂର୍ବରୁ ମଧ୍ୟ ଏହି ପାରମ୍ପରିକ ଖଣି କାର୍ଯ୍ୟରେ ୨୦ ଲକ୍ଷରୁ ଅଧିକ ଲୋକ ନିୟୋଜିତ ଥିଲେ ।

ଅଧିକ ପଢନ୍ତୁ