ସୌରଭ ଗାଙ୍ଗୁଲିଙ୍କୁ ଝଟ୍‌କା ! ଦୁସରା ଫିଲ୍ମ ରିଲିଜ୍‌ ଉପରେ ରୋକ୍‌ ଲଗାଇବାକୁ ମନା କଲେ କୋର୍ଟ

ଦିଲ୍ଲୀ ହାଇକୋର୍ଟ ଗତକାଲି ଅର୍ଥାତ୍ ଗୁରୁବାର ଦିନ ଫିଲ୍ମ ‘ଦୁସରା’ ରିଲିଜ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି । ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ନିଜର ବ୍ୟକ୍ତିତ୍ୱ ଅଧିକାର ଏବଂ ବାଣିଜ୍ୟିକ ଅଧିକାରର କଥିତ ଉଲ୍ଲଂଘନ ଅଭିଯୋଗରେ ଏହି ଫିଲ୍ମକୁ ଚ୍ୟାଲେଞ୍ଜ କରିଛନ୍ତି । ଏହି ଫିଲ୍ମ ଶୁକ୍ରବାର ଥିଏଟରରେ ରିଲିଜ ହେବାକୁ ଥିବାବେଳେ ପୂର୍ବତନ କ୍ରିକେଟରଙ୍କ ଆବେଦନ ଉପରେ ଶୁଣାଣି ସେହି ଦିନ ଜାରି ରହିବ ବୋଲି କୋର୍ଟ କହିଛନ୍ତି । ସୂଚନାନୁଯାୟୀ, ସୌରଭ ଗାଙ୍ଗୁଲି ଏବଂ ତାଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ କରୁଥିବା ପ୍ରଯୋଜନା ସଂସ୍ଥା ‘ଲଭ୍ ଫିଲ୍ମସ୍ ଏଲ୍ଏଲ୍ପି’ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଅଭିଯୋଗ ଅନୁସାରେ, ‘ଦୂସରା’ ଫିଲ୍ମରେ ଗାଙ୍ଗୁଲିଙ୍କ ନାମ, ପରିଚୟ ଏବଂ କ୍ରିକେଟ୍ କ୍ୟାରିୟର୍ର କିଛି ଐତିହାସିକ ଘଟଣାକୁ ତାଙ୍କ ଅନୁମତି ବିନା ବାଣିଜ୍ୟିକ ଭାବରେ ବ୍ୟବହାର କରାଯାଇଥିବା ଆଶଙ୍କା ରହିଛି। ଏହାଦ୍ୱାରା ତାଙ୍କ ବ୍ୟକ୍ତିତ୍ୱ ଅଧିକାର ଏବଂ ପ୍ରସ୍ତାବିତ ବାୟୋପିକ୍ର ସ୍ୱତନ୍ତ୍ର ଚୁକ୍ତିଗତ ଅଧିକାର ପ୍ରଭାବିତ ହୋଇପାରେ ବୋଲି ଆବେଦନରେ ଦର୍ଶାଯାଇଥିଲା। ଏହି ବିବାଦର ମୁଖ୍ୟ କାରଣ ରହିଛି ୨୦୦୨ ମସିହାର ନେଟୱେଷ୍ଟ ସିରିଜ୍ ଫାଇନାଲ୍। ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ ପରେ ଲର୍ଡସରେ ବାଲକୋନିରେ ସୌରଭ ଗାଙ୍ଗୁଲି ନିଜ ସାର୍ଟ ଖୋଲି ଉତ୍ସବ ପାଳନ କରିଥିବା ଦୃଶ୍ୟ ଆଜି ମଧ୍ୟ କ୍ରିକେଟ୍ ପ୍ରେମୀଙ୍କ ମନରେ ତାଜା ରହିଛି। ଏହି ଘଟଣା ସମେତ ଗାଙ୍ଗୁଲିଙ୍କ କ୍ରିକେଟ୍ ଜୀବନ ସହ ଜଡ଼ିତ କିଛି ଦୃଶ୍ୟକୁ ଫିଲ୍ମର ପ୍ରଚାରରେ ବ୍ୟବହାର କରାଯାଇଥିବା ନେଇ ଆପତ୍ତି ଉଠିଛି |ଅନ୍ୟପକ୍ଷରେ, ଫିଲ୍ମ ନିର୍ମାତାଙ୍କ ପକ୍ଷରୁ କୋର୍ଟରେ କୁହାଯାଇଥିଲା ଯେ ଏହା ସୌରଭ ଗାଙ୍ଗୁଲିଙ୍କ ଜୀବନୀ ନୁହେଁ। ଫିଲ୍ମର କାହାଣୀ ରାଜସ୍ଥାନର ଏକ ମଧ୍ୟବିତ୍ତ ପରିବାରର ଝିଅ ତାରାକୁ କେନ୍ଦ୍ର କରି ତିଆରି ହୋଇଛି। କାହାଣୀରେ ଗାଙ୍ଗୁଲିଙ୍କ ଠାରୁ ପ୍ରେରଣା ପାଇ ତାରା ନିଜ ଜୀବନରେ ସାମାଜିକ ପ୍ରତିବନ୍ଧକକୁ ଅତିକ୍ରମ କରି ନିଜ ପାଇଁ ନିଜେ ନିଷ୍ପତ୍ତି ନେବାକୁ ସାହସ ଜୁଟାଉଛି। ନିର୍ମାତାଙ୍କ ଓକିଲ ଏହା ମଧ୍ୟ ଦର୍ଶାଇଥିଲେ ଯେ ଫିଲ୍ମରେ ବ୍ୟବହୃତ କିଛି କ୍ରିକେଟ୍ ଫୁଟେଜ୍ ପାଇଁ ବିସିସିଆଇ (BCCI)ଠାରୁ ଆବଶ୍ୟକ ଅନୁମତି ନିଆଯାଇଛି।

ଅଧିକ ପଢନ୍ତୁ