ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ପ୍ରଭାସ ୪୭ ବର୍ଷ ବୟସରେ ପାଦ ଥାପିଛନ୍ତି । ନିଜର ଦମ୍ଦାର ଅଭିନୟ ଓ ବ୍ଲକବଷ୍ଟର ଫିଲ୍ମ ପାଇଁ ସେ କେବଳ ଦକ୍ଷିଣ ଭାରତରେ ନୁହେଁ, ବରଂ ସାରା ଦେଶରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ସବୁଠାରୁ ବଡ କଥା ସେ ପ୍ରାୟ ୬,୦୦୦ ବିବାହ ପ୍ରସ୍ତାବକୁ ରିଜେକ୍ଟ କରିଦେଇଥିଲେ। ଚଳଚ୍ଚିତ୍ର ଜଗତରେ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତାଇ ସାରିଥିଲେ ମଧ୍ୟ, ୨୦୧୫ରେ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ବାହୁବଳୀ’ ତାଙ୍କୁ ବ୍ୟାପକ ଲୋକପ୍ରିୟତା ଓ ପରିଚୟ ଆଣିଦେଇଥିଲା।ଚଳଚ୍ଚିତ୍ର ଜଗତ ସହ ଗଭୀର ସମ୍ପୃକ୍ତି ଥିବା ଏକ ପରିବାରରୁ ଆସିଥିଲେ ମଧ୍ୟ, ଆଶ୍ଚର୍ଯ୍ୟର କଥା ଯେ ପ୍ରଭାସ କେବେବି ଅଭିନେତା ହେବାକୁ ଲକ୍ଷ୍ୟ ରଖିନଥିଲେ। କିନ୍ତୁ ଭାଗ୍ୟର କିଛି ଅନ୍ୟ ଯୋଜନା ଥିଲା, ଯାହା ତାଙ୍କୁ କେବଳ ଜଣେ ଅଭିନେତା ନୁହେଁ, ବରଂ ଜଣେ ବିଶାଳ ସୁପରଷ୍ଟାର୍ରେ ପରିଣତ କଲା।ପ୍ରଭାସ ୧୯୭୯ ମସିହା ଅକ୍ଟୋବର ୨୩ ତାରିଖରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁରା ନାମ ହେଉଛି ଉପ୍ପଲାପତି ଭେଙ୍କଟ ସୂର୍ଯ୍ୟନାରାୟଣ ପ୍ରଭାସ ରାଜୁ। ବିଭିନ୍ନ ସାକ୍ଷାତକାରରେ ସେ ପ୍ରକାଶ କରିଛନ୍ତି ଯେ, ତାଙ୍କର ଅଭିନେତା ହେବାର କୌଣସି ଇଚ୍ଛା ନଥିଲା, ବରଂ ଆରମ୍ଭରେ ସେ ହସ୍ପିଟାଲିଟି (ହୋଟେଲ୍) କ୍ଷେତ୍ରରେ ନିଜର କ୍ୟାରିୟର ଗଢ଼ିବାକୁ ଆଗ୍ରହୀ ଥିଲେ।ଏପରିକି କ୍ୟାମେରା ସାମ୍ନାରେ ଠିଆ ହେବା ଏବଂ ଲୋକଙ୍କ ସହ ମିଶିବାରେ ମଧ୍ୟ ସେ ଆରମ୍ଭରୁ ସେତେଟା ସ୍ୱଚ୍ଛନ୍ଦ ନଥିଲେ । କିନ୍ତୁ ଭାଗ୍ୟ ତାଙ୍କୁ ସିନେମା ଜଗତକୁ ଆଣିଥିଲା । ୨୦୦୨ରେ ତେଲୁଗୁ ଫିଲ୍ମ ‘ଈଶ୍ୱର’ ଜରିଆରେ ପ୍ରଭାସ ଅଭିନୟ ଜଗତରେ ପାଦ ଥାପିଥିଲେ । ଏହାପରେ ‘ବର୍ଷମ୍’, ‘ଛତ୍ରପତି’, ‘ବିଲ୍ଲା’, ‘ଡାର୍ଲିଂ’, ‘ମିଷ୍ଟର ପରଫେକ୍ଟ’ ଏବଂ ‘ମିର୍ଚି’ ଭଳି ଫିଲ୍ମ ତାଙ୍କୁ ତେଲୁଗୁ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ କରିଥିଲା । କିନ୍ତୁ ତାଙ୍କ ଜୀବନରେ ସବୁଠାରୁ ବଡ଼ ମୋଡ଼ ଆଣିଥିଲା ଏସ୍ଏସ୍ ରାଜମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବାହୁବଳୀ’ ।୨୦୧୫ରେ ରିଲିଜ୍ ହୋଇଥିବା ‘ବାହୁବଳୀ: ଦ ବିଗିନିଂ’ ବକ୍ସ ଅଫିସ୍ରେ ବଡ଼ ସଫଳତା ହାସଲ କରିଥିଲା । ଏହାପରେ ୨୦୧୭ରେ ରିଲିଜ୍ ହୋଇଥିବା ‘ବାହୁବଳୀ ୨: ଦ କନକ୍ଲୁଜନ୍’ ମଧ୍ୟ ଅନେକ ରେକର୍ଡ ଭାଙ୍ଗିଥିଲା । ଏହି ଦୁଇଟି ଫିଲ୍ମ ପ୍ରଭାସଙ୍କୁ ରାତାରାତି ଦେଶବ୍ୟାପୀ ଷ୍ଟାର୍ଡମ୍ ଦେଇଥିଲା । ଏହି ଫ୍ରାଞ୍ଚାଇଜ୍ ପାଇଁ ସେ ପ୍ରାୟ ପାଞ୍ଚ ବର୍ଷ ସମୟ ଦେଇଥିବା ସହ ୬୦୦ ଦିନରୁ ଅଧିକ ସମୟ ସୁଟିଂ କରିଥିବା କୁହାଯାଏ । ‘ବାହୁବଳୀ’ ର ଅପାର ସଫଳତା ପରେ ପ୍ରଭାସଙ୍କ ଲୋକପ୍ରିୟତା ଏତେ ବଢ଼ିଯାଇଥିଲା ଯେ ତାଙ୍କୁ ୬ ହଜାରରୁ ଅଧିକ ବିବାହ ପ୍ରସ୍ତାବ ମିଳିଥିବା ଖବର ସାମ୍ନାକୁ ଆସିଥିଲା । ତେବେ ଏହି ସବୁ ପ୍ରସ୍ତାବକୁ ସେ ପ୍ରତ୍ୟାଖ୍ୟାନ କରିଥିବା କୁହାଯାଏ । ଏତେ ସଫଳତା ଓ ପ୍ରଶଂସକଙ୍କ ଭଲପାଇବା ସତ୍ତ୍ୱେ ପ୍ରଭାସ ଏବେ ମଧ୍ୟ ଅବିବାହିତ ଅଛନ୍ତି ।
