ହିଟ୍ ୱେଭ୍ ରିଲିଫ୍ ସେଣ୍ଟର’ ତିଆରି ହେବ:ମନ୍ତ୍ରୀ

ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । କିଭଳି ଏହି ସମୟରେ ଏହାକୁ ସାମ୍ନା କରାଯିବ ସେ ନେଇ ସ୍ୱତନ୍ତ୍ର ପ୍ରସ୍ତୁତି ସରିଛି । ମନ୍ତ୍ରୀ କହିଛନ୍ତି ଯେ ପ୍ରକୃତି ଅସ୍ବାଭାବିକ ପ୍ରଭାବ ଦେଖାଉଛି। ସାରା ପୃଥିବୀରେ ଜଳବାୟୁ ପରିବର୍ତ୍ତନ ହେଉଛି । ଗ୍ରୀଷ୍ମ ପ୍ରବାହକୁ ନେଇ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସରକାରଙ୍କ ତରଫରୁ ଅନେକ ସମୟରେ ବାରମ୍ବାର ଆଲୋଚନା ଜାରି ରହିଛି । ସେ ଆହୁରି କହିଛନ୍ତି, ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷିତ ରହିବା ପାଇଁ ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଲୋକମାନେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ମାଲ ପରିବହନ ଗାଡ଼ି ଏବଂ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ୧୧ଟାରୁ ୩ଟା ପର୍ଯ୍ୟନ୍ତ ରାସ୍ତାକୁ ଆସିବ ନାହିଁ । ଶ୍ରମିକମାନଙ୍କୁ ମଧ୍ୟ ଏହି ସମୟରେ କାମ ନ କରିବାକୁ ପରାମର୍ଶ ଦିଆଯାଇଛି l ପଞ୍ଚାୟତିରାଜ ବିଭାଗ ଏବଂ ନଗର ଉନ୍ନୟନ ବିଭାଗକୁ ଜଳଛତ୍ର କରିବା ପାଇଁ କୁହାଯାଇଛି । PHC ଏବଂ CHCରେ ଅଂଶୁଘାତ ଜନିତ ସ୍ପେଶାଲ ଟ୍ରିଟମେଣ୍ଟ ପାଇଁ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଆଲୋଚନା କରୁଛନ୍ତି ଯେ ‘ହିଟ୍ ୱେଭ୍ ରିଲିଫ୍ ସେଣ୍ଟର’ ତିଆରି ହେବ। ଗ୍ରୀଷ୍ମ ପ୍ରବାହରୁ କିପରି ଲୋକମାନେ ମୁକ୍ତି ପାଇପାରିବେ, ସେଥିପାଇଁ ଏହା ସ୍ଥାପନ କରିବାକୁ ଆଲୋଚନା ଚାଲିଛି। ଓଡ଼ିଶାରେ ଯେଉଁଠି ଅଧିକ ଗ୍ରୀଷ୍ମ ପ୍ରବାହ ହେଉଛି ସେଠାରେ ହିଁ ପ୍ରଥମେ ଏହା ଆରମ୍ଭ ହେବ ଏବଂ ପରବର୍ତ୍ତୀ ସମୟରେ ତାହା ଓଡ଼ିଶା ସାରା ସ୍ଥାପନ କରାଯିବ ।

ଅଧିକ ପଢନ୍ତୁ