ସାହସୀ ଭାରତୀୟ ପାଇଲଟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ । ଟଳିଗଲା ୯/୧୧ ଭଳି ଦ୍ବିତୀୟ ଆତଙ୍କବାଦୀ ଆକ୍ରମଣ। ପ୍ରସଂଶା କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।ଦୁବାଇରୁ ଇସ୍ରାଏଲର ତେଲ୍ ଆଭିଭ୍ ଅଭିମୁଖେ ଯାଉଥିବା ‘ଫ୍ଲାଏଦୁବାଇ’ର ଏକ ଯାତ୍ରୀବାହୀ ବିମାନରେ ମଝି ଆକାଶରେ ବିମାନକୁ କ୍ରାସ କରିବାକୁ ଯୋଜନା କରାଯାଇଥିଲା । ବିମାନର କ୍ୟାପ୍ଟେନ୍ ଥିବା ଜଣେ ଭାରତୀୟ ପାଇଲଟ୍ କୋ-ପାଇଲଟ୍ଙ୍କ ବିରୁଦ୍ଧରେ ଲଢ଼ିଥିଲେ, ଯିଏ ବିମାନକୁ କ୍ରାସ୍ କରାଇବାକୁ ଚେଷ୍ଟା କରୁଥିଲେ । ଭାରତୀୟ ପାଇଲଟ ସ୍ମିତ ମଚାହାର ସହ ଆତଙ୍କୀ ପାଇଲଟ ସହ ଲଢି ବିମାନକୁ ରକ୍ଷା କରିଥିଲେ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ଟୁଇଟ କରି ଭାରତୀୟ ପାଇଲଟଙ୍କ ଅସାଧାରଣ ସାହସିକତା ପାଇଁ ସଲାମ୍ ଜଣାଇଛନ୍ତି। କହିଛନ୍ତି, ସେ ଜଣେ ପ୍ରକୃତ ହିରୋ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ Xରେ ପୋଷ୍ଟ କରି ସ୍ମିତ୍ ଙ୍କୁ ହିରୋ ବୋଲି କହିବା ସହ ତାଙ୍କ ପାଇଁ ଭାରତ ଗର୍ବିତ ବୋଲି ଉଲ୍ଲେଖ କରିଛନ୍ତି ।ମୋଦି କହିଛନ୍ତି, ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ଏବଂ ଗୁରୁତର ଆହତ ହେବା ସତ୍ତ୍ୱେ କ୍ୟାପଟେନ୍ ସ୍ମିତ୍ ମାଚ୍ଛର ଅସୀମ ସାହସ ଦେଖାଇଥିଲେ । ଅନ୍ୟମାନଙ୍କ ଜୀବନ ରକ୍ଷା ପାଇଁ ତାଙ୍କର ଦୃଢ଼ ସଂକଳ୍ପ ଓ ସାହସ ଏକ ବଡ଼ ବିମାନ ଦୁର୍ଘଟଣାକୁ ଏଡ଼ାଇବାରେ ସହାୟକ ହୋଇଥିଲା । ତାଙ୍କ ବୀରତ୍ୱ ଯୋଗୁଁ ଶତାଧିକ ଲୋକଙ୍କ ଜୀବନ ବଞ୍ଚିପାରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାସହ ସ୍ମିତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ମୋଦି । ଶୀଘ୍ର ସୁସ୍ଥ ହୋଇ ପୁଣି ନୂଆ ଶକ୍ତି ସହ ଫେରନ୍ତୁ ଏବଂ ଉତ୍ତମ ସ୍ୱାସ୍ଥ୍ୟରେ ରୁହନ୍ତୁ ବୋଲି ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।
