ଓଡ଼ିଶାରେ ସରିଲା ୨୦୨୬ ମୌସୁମୀ ବର୍ଷା ଋତୁ । ଚଳିତ ବର୍ଷ ଓଡ଼ିଶା ପାଇଁ ଭଲ ରହିଛି ମୌସୁମୀ ବର୍ଷା । ଜୁନ୍ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ରାଜ୍ୟରେ ସ୍ୱାଭାବିକଠାରୁ ୨୯ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି ।ବିଭିନ୍ନ ରାଜ୍ୟରୁ ବିଦାୟ ନେଇ ସାରିଲାଣି ମୌସୁମୀ। ଆସନ୍ତା ୨-୩ ଦିନରେ ଓଡ଼ିଶାରୁ ବି ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ରହିଛି ।ଏଣିକି ବର୍ଷା ହଜିଯିବ । ଅକ୍ଟୋବରରୁ ଡିସେମ୍ବର ଯାଏ ରାଜ୍ୟରେ ବର୍ଷା ପ୍ରାୟତଃ ନାହିଁ । ଏହି ଅବଧିରେ ଯେତିକି ବର୍ଷା ହେବା କଥା, ତା’ଠାରୁ ଢେର କମ୍ ରହିବ । ଏବେଠାରୁ ରାଜ୍ୟରେ ଖରା ପ୍ରକୋପ ବଢ଼ିଲାଣି । ତାପମାତ୍ରା ୩୪-୩୫ ଡିଗ୍ରୀ ସେଲସିୟସ୍ ରହୁଛି । ଚିନ୍ତାର ବିଷୟ ହେଲା, ତାପମାତ୍ରା । ଅକ୍ଟୋବର ମାସରେ ଦକ୍ଷିଣ ଓ ପୂର୍ବ ଭାରତରେ ଅସ୍ୱାଭାବିକ ଗରମ ଅନୁଭୂତ ହୋଇପାରେ । ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ଯଥେଷ୍ଟ ଅଧିକ ରହିବା ସମ୍ଭାବନା ଅଛି । ବିଶେଷ କରି ଉପକୂଳ, ଦକ୍ଷିଣ ଏବଂ ଉତ୍ତରରେ ଅଧିକ ତାପମାତ୍ରା ରହିପାରେ । ଅନ୍ୟପଟେ ରାତି ବାତାବରଣ ବି ଥଣ୍ଡା ପଡ଼ିବନି । ରାତିରେ ବି ସ୍ୱାଭାବିକ ତୁଳନାରେ ତାପମାତ୍ରା ଅଧିକ ରହିବ ।ବିଶେଷଜ୍ଞଙ୍କ ମତରେ ଚଳିତବର୍ଷ ସୁପର ଏଲ୍-ନିନୋ ପ୍ରଭାବ ସେପ୍ଟେମ୍ବରରୁ ବଢ଼ିବାରେ ଲାଗିଛି । ଡିସେମ୍ବର ଯାଏ ଏଲ୍-ନିନୋ ସ୍ଥିତି ଶୀର୍ଷ ସ୍ତରରେ ରହିବ । ଏହାର ଗୁରୁତର ପ୍ରଭାବ ପଡ଼ିବ । ଏଥର ଶୀତ ପ୍ରାୟତଃ ହଜିଯିବ । ଦିନରେ ଆକାଶ ମେଘମୁକ୍ତ ରହିବ । ଜଳୀୟବାଷ୍ପ ରହିବନି । ତେଣୁ ଖରା ଟାଣ ହେବ । ଏମିତିକି ଅକ୍ଟୋବରରେ ଦିନ ତାପମାତ୍ରା ୩୭ ଡିଗ୍ରୀ ଛୁଇଁପାରେ ।
