୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ୨୧ ତାରିଖ ଦିନ ସାଢ଼େ ୧୧ଟାରେ ବସିବ ସର୍ବଦଳୀୟ ବୈଠକ । ଗୃହ କେମିତି ସୁରୁଖୁରୁରେ ଚାଲିବ ସେନେଇ ସବୁ ଦଳ ନିଜ ନିଜ ଆଭିମୁଖ୍ୟ ରଖିବେ । ଅପରାହ୍ଣରେ ବସିବ ବିଜେପି ବିଧାୟକ ଦଳ ବୈଠକ । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।ମନ୍ତ୍ରୀ କହିଛନ୍ତି, ବିରୋଧୀ ଯେଉଁ ସବୁ ପ୍ରସଙ୍ଗ ଉଠାଇବେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ସରକାର । ବିଧାନସଭାକୁ ସୁଚାରୁ ରୂପେ ଚଳାଇବାକୁ ସର୍ବଦଳୀୟ ବୈଠକରେ ଆଲୋଚନା କରାଯିବ । ସମସ୍ତ ପ୍ରସଙ୍ଗକୁ ନେଇ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଏମ୍ଏମ୍ଡିଆର୍, ବହି ତ୍ରୁଟି, ଚାଷୀ ପଞ୍ଜିକରଣ, ଶିକ୍ଷକ ଆନ୍ଦୋଳନ ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ।ସେପ୍ଟେମ୍ବର 22ରୁ ଆରମ୍ଭ ହୋଇ ଅକ୍ଟୋବର 3 ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଗତ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ବିଧାନସଭା ଠିକରେ ଚାଲିପାରିନଥିଲା । ଆଉ ଏଥର ମଧ୍ୟ ସମାନ କଥା ଆଶଙ୍କା କରାଯାଉଛି । ଚଳିତ ଥର ହେବାକୁ ଥିବା ମୌସୁମୀ ଅଧିବେଶନରେ ମୋଟ୍ ୯ଟି କାର୍ଯ୍ୟ ଦିବସ ରହିଛି । ଗୋଟିଏ ଛୁଟି ଦିନ ଥିବା ବେଳେ ୨ ଦିନ ନୋ ମିଟିଙ୍ଗ ଡେ’ ରହିଛି ।
