ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଯାଜପୁର ବଡ଼ଚଣା ବ୍ଲକର ସହକାରୀ ଯନ୍ତ୍ରୀ। ୩୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ବଡ଼ଚଣା ବ୍ଲକର ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ। ତାଙ୍କ ସହଯୋଗୀ ତଥା ଘରୋଇ ବ୍ୟକ୍ତି ସୋମନାଥ ସେଠୀଙ୍କୁ ମଧ୍ୟ ଭିଜିଲାନ୍ସ ଟିମ୍ ଧରିଛି।ଭିଜିଲାନ୍ସ ସୂଚନା ଅନୁସାରେ, ବଡ଼ଚଣା ବ୍ଲକ ଅଞ୍ଚଳରେ ଏକ ସ୍କୁଲର ନିର୍ମାଣ କାମ ସମ୍ପୂର୍ଣ୍ଣ କରିଥିବା ଜଣେ ଠିକା କାର୍ଯ୍ୟ ନିର୍ବାହକ ତାଙ୍କ ବକେୟା ବିଲ୍ ଓ ସିକ୍ୟୁରିଟି ଡିପୋଜିଟ୍ ଫେରସ୍ତ ପାଇଁ ଆବେଦନ କରିଥିଲେ। ଏହି ଟଙ୍କା ଛାଡ଼ କରିବା ପାଇଁ ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ ୩୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା ।ବାରମ୍ବାର ହଇରାଣ ହେବା ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଜାଲ ବିଛାଇଥିଲା । ସୋମବାର ଅଭିଯୋଗକାରୀଙ୍କଠାରୁ ୩୫ ହଜାର ଟଙ୍କା ନେଉଥିବାବେଳେ ବନ୍ଦିତା ଦାଶ ଓ ସୋମନାଥ ସେଠୀଙ୍କୁ ଭିଜିଲାନ୍ସ ଧରିଥିବା ସୂଚନା ଦେଇଛି। ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ Case No. 38, ତାରିଖ ୨୭.୦୯.୨୦୨୬ ଅନୁସାରେ Prevention of Corruption (Amendment) Act, 2018ର ଧାରା ୭ରେ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ ଜାରି ରହିଛି। ଲାଞ୍ଚ ଧରାପଡ଼ିବା ପରେ ବନ୍ଦିତା ଦାଶଙ୍କ ସହ ଜଡ଼ିତ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।
