ସୁପ୍ରିମକୋର୍ଟରେ ବଢ଼ିବେ ବିଚାରପତି । କେନ୍ଦ୍ର କ୍ୟାବିନେଟର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସୁପ୍ରିମକୋର୍ଟର କ୍ଷମତା ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରଧାନ ବିଚାରପତିଙ୍କୁ ବାଦ ଦେଇ ବିଚାରପତିଙ୍କ ସଂଖ୍ୟା ୩୩ରୁ ୩୭କୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି ପରେ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ସମେତ ମୋଟ ବିଚାରପତିଙ୍କ ସଂଖ୍ୟା ୩୮ ହେବ । ସରକାର ଖୁବଶୀଘ୍ର ସଂସଦରେ ‘ସୁପ୍ରିମକୋର୍ଟ ସଂଶୋଧନ ବିଲ୍, ୨୦୨୬’ ଆଗତ କରିବେ ।ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ଆଇନ ୧୯୫୬ ଯେତେବେଳେ ଅଣାଗଲା ସେଥିରେ ସିଜେଆଇଙ୍କୁ ବାଦ୍ ଦେଇ ୧୦ ବିଚାରପତି ରହିବା କଥା କୁହାଯାଇଥିଲା । ୧୯୬୦ରେ ଆଇନରେ ସଂଶୋଧନ ଆଣି ଏହି ସଂଖ୍ୟା ୧୩କୁ ଓ ପରେ ପୁଣି ୧୭କୁ ବୃଦ୍ଧି କରାଯାଇଥିଲା । ୧୯୮୬ରେ ପୁଣି ଥରେ ଆଇନରେ ସଂଶୋଧନ କରାଯାଇ ଏହି ସଂଖ୍ୟା ୨୫ (ସିଜେଆଇଙ୍କୁ ବାଦ୍ ଦେଇ) କରାଗଲା । ୨୦୦୯ରେ ପୁଣି ୩୦କୁ ବଢ଼ିଲା । ୨୦୧୯ରେ ପୁଣିଥରେ ଆଇନରେ ପରିବର୍ତ୍ତନ କରାଯାଇ ବିଚାରପତିଙ୍କ ସଂଖ୍ୟା ୩୦ରୁ ୩୩ (ସିଜେଆଇଙ୍କୁ ବାଦ୍ ଦେଇ) କରାଗଲା ।
